ଟୁଇଟରରେ ବଡ ସଂଖ୍ୟାରେ ହୋଇପାରେ ଛଟେଇ, ଟେକ୍‌ଓଭର ପରେ ଏଲନ ମସ୍କ କରୁଛନ୍ତି ଯୋଜନା

ୱାଶିଂଟନ,୩୦ ।୧୦: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେଲସାର ସିଇଓ ଏଲନ ମସ୍କ ଟୁଇଟର କ୍ରୟ କରିବା ପରେ କିଛିଦିନ ମଧ୍ୟରେ ଛଟେଇ ସଙ୍କେତ ଦେଇଛନ୍ତି । ଡିଲ ଶେଷ ହେବା ପରେ ଆକ୍ସନ ମୁଡରେ ନଜର ଆସିଛନ୍ତି ମସ୍କ । ତେବେ ଡିଲ ଶେଷ ହେବା ପୂର୍ବରୁ ଟୁଇଟର କର୍ମଚାରୀଙ୍କ ମଧ୍ୟରେ ଚାକିରି ଯିବାର ଭୟ ଦେଖାଦେଇଥିଲା । ଏବେ ପୁଣିଥରେ କର୍ମଚାରୀଙ୍କୁ ଡରାଇବା ଭଳି ଖବର ସାମ୍ନାକୁ ଆସିଛି । ଡିଲ ଶେଷ ହେବା ପରେ କାଳ ବିଳମ୍ବ ନ କରି ମସ୍କ ଛଟେଇ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏନେଇ ଆଗକୁ ମଧ୍ୟ ଯୋଜନା କରୁଛନ୍ତି ମସ୍କ ।
ଟୁଇଟରରେ ପରିବର୍ତ୍ତନକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏବେ ଖବର ଆସିଛି କି ଏଲନ ମସ୍କ ଟୁଇଟରରେ କିଛି ବଡ ଧରଣର ପରିବର୍ତ୍ତନ କରିପାରନ୍ତି । ସେ ନୂଆ ଢଙ୍ଗରେ ଟୁଇଟର ଚଳାଇବାକୁ ଚାହୁଁଛନ୍ତି । ଏହାସହ ମସ୍କ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମର ନୀତିରେ ସୁଧାର ଆଣିବା ଆରମ୍ଭ କରିଛନ୍ତି । ମାଲିକ ହେବାପରେ ସେ କେତେଜଣ ଅଧିକାରୀଙ୍କୁ ଛୁଟି କରିଦେଇଛନ୍ତି । ଏମାନଙ୍କ ମଧ୍ୟରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ ଅର୍ଥ ବିଭାଗ ମୁଖ୍ୟ ନେଡ ସେଗଲ ବି ସାମିଲ ଅଛନ୍ତି ।

Share