ଅଭାବୀ ବିକ୍ରିର ଶିକାର ହେଉଛନ୍ତି ହଳଦୀଚାଷୀ

ଦାରିଙ୍ଗବାଡି,୨୫ା୩ (ଅରୁଣ ସାହୁ)କନ୍ଧମାଳ ହଳଦୀର ଅଭାବି ବିକ୍ରୀ ଏବେ ଚାଷୀଙ୍କୁ ସଂକଟରେ ପକାଇଛି। ଗୋଟିଏ ପଟେ ସାହୁକାର ଋଣ, ଅନ୍ୟପଟେ ଅମଳରେ ହ୍ରାସ ପାଇ ଚାଷୀ ଏବେ ଚିନ୍ତାରେ। ଚଳିତ ଥର ହଳଦୀ ଅମଳରେ ବହୁ ବିଳମ୍ବ ଦେଖାଯାଇଥିବା ବେଳେ ବର୍ଷା ପଡିବାରୁ ହଳଦୀ ଖୋଳି ଅମଳ କରାଯାଉଛି। ଦୀର୍ଘ ୧୫ ବର୍ଷ ପରେ ହଳଦୀ ଦର କିଲୋ ପିଛା ୧ ଶହ ଛୁଇଁଥିବା ବେଳେ ବର୍ଷା ପରେ ଅମଳ ଜୋରଦାର ହେବାରୁ ପୁଣି ସାହୁକାରମାନେ ହଳଦୀ ଦର ହ୍ରାସ କରି କିଣୁଥିବା ନେଇ ଚାଷି ଅଭିଯୋଗ କରୁଛନ୍ତି। ସରକାର ହଳଦୀରେ କୌଣସି ସର୍ବନିମ୍ମ ଦର ଧାର୍ଯ୍ୟ କରୁନଥିବାରୁ ଚାଷୀଙ୍କ ମଧ୍ୟରେ ନିରାଶଭାବ ଦେଖାଯାଇଛି। ଯିଏ ଯେଉଁ ଦର ନିଷ୍ପତ୍ତି କରି ସାହୁକାର ଓ ଦଲାଲମାନେ ହଳଦୀ କିଣୁଛନ୍ତି। ଫଳରେ ଚାଷୀ ମୁଣ୍ଡରେ ଥିବା ଋଣ ଭାର କିଭଳି ମୁକ୍ତହେବ ସେ ନେଇ ଚିନ୍ତରେ ପଡ଼ିଛି। ଗୋଟିଏ ପଟେ ହଳଦୀ ଚାଷ ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା ରହିଥିବା ବେଳେ ହଳଦୀ ଚାଷ କେବଳ ବ୍ୟକ୍ତିଗତ ଚାଷ କରାଯାଉଛି। ଫଳରେ ଏକାକୀ ଚାଷୀଙ୍କୁ ସରକାରଙ୍କ କୌଣସି ସହାୟତା ନ ଥିବାରୁ ହଳଦୀ ଚାଷରୁ ଚାଷୀ ମୁହଁ ଫେରାଇବା ଆରମ୍ଭ କଲେଣି। କନ୍ଧମାଳ ହଳଦି ପାରମ୍ପରିକ ଓ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ବେଳେ ଏଥିରୁ କୁରକୁମିନ ନାମକ ଏକ ଦ୍ରବ୍ୟ ବାହାରୁଛି, ଯାହାକି କ୍ୟାନ୍ସର ପ୍ରତିରୋଧକ ସହ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରପୁର ରହିଛି। ଫଳରେ କନ୍ଧମାଳ ହଳଦୀର ଚାହିଦା କେବଳ ରାଜ୍ୟ ନୁହେଁ ସାରା ପୃଥିବୀରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାକୁ ପ୍ରୋତ୍ସାହନ ଦିଆଗଲେ ଓ ସର୍ବନିମ୍ମ ଦର କିଲୋ ପିଛା ୧୫୦ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଗଲେ ଚାଷୀ ଏହି ଚାଷରୁ ମୁହଁ ଫେରାଇନିଅନ୍ତା ନାହିଁ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ପରେ ଗତ ବର୍ଷ ଜୁଲାଇ ଦର ୪୦ ଟଙ୍କାରୁ ୧୦୦ ଟଙ୍କା କିଲୋ ପହଞ୍ଚିଥିଲା। ଚଳିତ ବର୍ଷ କିଲୋ ପିଛା ୧ ଶହରୁ ଉର୍ଦ୍ଧ୍ୱ ଦର ରହିଛି, ଯାହାକି ସର୍ବନିମ୍ନ କିଲୋ ପିଛା ୧୫୦ କରିବାକୁ ଦାବି ହେଉଛି।