ମିଳୁନି ଟୁଙ୍ଗି ପୁନରୁଦ୍ଧାର ସହାୟତା

ବେଗୁନିଆ,୨୦ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ମଧ୍ୟରୁ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନା ଅନ୍ୟତମ। ଗଁା ଗହଳିରେ ରହିଥିବା ଝାଟିମାଟି ଟୁଙ୍ଗିର ପୁନରୁଦ୍ଧାର ପାଇଁ ୪ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଥିଲା। ଜିଲା ଓ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇଥିଲେ ମଧ୍ୟ ମିଳୁନି ସହାୟତା। ପରମ୍ପରାକୁ ବଞ୍ଚାଇବାକୁ ଯାଇ ଖୋଲା ଆକାଶ ତଳେ ଚାଲୁଛି ଭାଗବତ ସଭା ବୋଲି ବେଗୁନିଆ ବ୍ଲକ କୋଲୁହାପାଟଣା ଅଞ୍ଚଳର କୃପାସିନ୍ଧୁ ପଣ୍ଡା, ସଦାଶିବ ପଣ୍ଡା, ମଦନ ମୋହନ ସାହୁ ପ୍ରମୁଖ କହିଛନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ କୋଲୁହାପାଟଣା ଗ୍ରାମରେ ବୁଦ୍ଧ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥିବା ୨୦୧ତମ ଭାଗବତ ସଭା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ସଦାନନ୍ଦ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଷ୍ଟାଦଶ ମହାପୁରାଣର ଭାଗବତ ପାଠ କରାଯାଇଥିଲା। ୬ଷ୍ଠ ସ୍କନ୍ଧର ତୃତୀୟ ଅଧ୍ୟାୟ ‘ଯମରାଜ ଓ ଯମଦୁତଙ୍କ’ କଥୋପକଥନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସେହିପରି ଉଦ୍‌ଯାପନୀ ଦିବସରେ ଦ୍ୱାଦଶ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟ ‘କଳିଯୁଗର ବୈଶିଷ୍ଟ୍ୟ’ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପଣ୍ଡିତ କୈଳାସ ନାଥ ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ତପନ କୁମାର ପଣ୍ଡା, ଅଖିଳେଶ ପ୍ରସାଦ ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ପବିତ୍ର କୁମାର ପୃଷ୍ଟି, ନିରଞ୍ଜନ ଦାଶପୁରୀ ପ୍ରମୁଖ ବ୍ୟାଖ୍ୟା କରିଥିଲେ। ଗୌରହରି ପଣ୍ଡା, ଶ୍ରୀକାନ୍ତ ଦାଶ, ବନମାଳୀ ପଣ୍ଡା, ଶ୍ୱେତ ମହାପାତ୍ର, ଗୋକୁଳ ଚନ୍ଦ୍ର ପଣ୍ଡା, ଧନେଶ୍ୱର ପଣ୍ଡା ପୁରାଣ ପଠନରେ ସହାୟତା କରିଥିଲେ। ବନମାଳୀ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକ ଜିଲାର ବହୁ ପଣ୍ଡିତଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ।