ରାସ୍ତା ମଝିରେ ନଳକୂପ ବଢ଼ାଉଛି ଦୁର୍ଘଟଣା

ବେଲଗୁଣ୍ଠା,୧୦ା୬: ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ଆନ୍ତରିକତା ପ୍ରକାଶ ପାଉନଥିବାରୁ ଦିନକୁ ଦିନ ଦୁର୍ଘଟଣାର ବଢୁଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଉଢୁରା ପଞ୍ଚାୟତର ନୂଆଁ କୋକଲୁଣ୍ଡା ରାସ୍ତାରେ। ଏହି ରାସ୍ତାଟି ନୂଆଁ କୋକଲୁଣ୍ଡା ଦେଇ ରାଜନପଲ୍ଲୀ, ଦାନକିଆରୀ, କନ୍ଧପଲ୍ଲୀ, ଡୁବୁଡୁବା ସାହି ଦେଇ ପ୍ରତାପୁର ପଯର୍‌ୟନ୍ତ ଲମ୍ବିଛି। ଏଠାରେ ମଧ୍ୟ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋ ଖତ ପ୍ଲାଣ୍ଟ୍‌ ରହିଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଗାଡ଼ି ଯାତାୟତ କରିଥାଏ। କିନ୍ତୁ ନଳକୂପଟି ରାସ୍ତାର ମଝିରେ ରହିଥିବାରୁ ଗାଡ଼ି ଗୁଡ଼ିକ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବେଳେ ବେଳେ ଛୋଟବଡ଼ ଦୁର୍ଘଟଣାର ମଧ୍ୟ ସାମ୍ନା କରିଥାନ୍ତି। ଗତବର୍ଷ ମୋଟର ସାଇକେଲ୍‌ରେ ବାଙ୍କତରା ଗ୍ରାମର ଦୁଇଜଣ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ନଳକୂପଟିକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ପକ୍ଷରୁ ବହୁବାର ଅଭିଯୋଗ କରାଯାଇଥିଲେ ଏହାକୁ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ସହିତ ବେଲଗୁଣ୍ଠା ବ୍ଳକ୍‌ରେ ବିଭିନ୍ନ ସ୍ଥାନରେ ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଫୋନ୍‌ ଉଠାଉନଥିବା ନେଇ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାଗୁଡ଼ିକର ସମାଧାନ କରି ଅଚଳ ନଳକୂପ ଗୁଡ଼ିକୁ ସଚଳ କରିବା ସହ ରାସ୍ତା ମଝିରେ ଥିବା ନଳକୂପଟିକୁ ରାସ୍ତାକଡ଼କୁ ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଜଳ ଯୋଗାଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସରିତା ପତି କହିଛନ୍ତି, ଅଭିଯୋଗ ଆସିଲେ ତୁରନ୍ତ ସମସ୍ୟା ସମାଧାନ ଦିଗରେ
ସେ ପଦକ୍ଷେପ ନେବେ।