ସତର୍କ କରିବ ସୁନାମି ସୂଚନା ଟାୱାର

ମହାକାଳପଡ଼ା, ୭ ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସୁନାମୀ ସତର୍କ ସୂଚନା ଟାୱାର ସ୍ଥାପିତ କରାଯାଇଛି। ଏହି ଉପକୂଳିଆ ଅଞ୍ଚଳରେ ସମୁଦ୍ରରେ ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ସତର୍କ ସୂଚନା ଦେବ। ଏହି ସାଇରନ୍‌ ଶବ୍ଦ ଦୁଇ କିମି ଦୂର ପର୍ଯ୍ୟନ୍ତ ଶୁଣାଯିବ। ଯାହା ଫଳରେ ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନେ ସତର୍କ ହୋଇ ତଳିଆ ଅଞ୍ଚଳରୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ।
ମିଳିଥିବା ସୂଚନା ଅନୁସାରେ, ଏହି ବ୍ଲକରେ ୧୦ଟି ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ସୁନାମୀ ସୂଚନା ଟାୱାର ୨୦୧୭/୧୮ରେ ନିର୍ମାଣ ହୋଇଥିଲା। ଏହି ଉପକୂଳ ଅଞ୍ଚଳର ଶାସନ ପେଟା, ରଟପଙ୍କ, ନରସିଂହପୁର, କଣ୍ଡରା ପାଟିଆ, ଉତ୍ତର ଜମ୍ବୁ, ଜମ୍ବୁ ଲକ୍‌ (ମତ୍ସ୍ୟ ଜେଟିି) ନିକଟ, ବତୀଘର ପଞ୍ଚାୟତର କଜଳ ପାତିଆ, ଦକ୍ଷିଣ ଖୋଳା, ବଡ଼ ଟୁବି ଓ ମହାକାଳପଡ଼ା ବ୍ଲକ କର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାପନ କରାଯାଇଛି। ତେବେ ଗଭୀର ସମୁଦ୍ର ମଧ୍ୟରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହେଲେ ସମୁଦ୍ର ମଧ୍ୟରେ ତଳିଆ ପ୍ଲେଟ ବା ଆସ୍ତରଣ ଫାଟ ସୃଷ୍ଟ ହେବା ଦ୍ୱାରା ଗଭୀର ଜଳ ରାଶି ବା ତରଙ୍ଗ ଭୀଷଣ ବେଗରେ ଘଣ୍ଟା ପ୍ରତି ୫୦୦ କିମି ସମୁଦ୍ର ଜଳ କୂଳ ଅଭିମୁଖେ ମାଡ଼ି ଆସି ସ୍ଥଳ ଭାଗରେ ଧନ ଜୀବନ କ୍ଷତି ଘଟାଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବ ଉପକୂଳ ଅଞ୍ଚଳଗୁଡ଼ିକରେ ସୁନାମୀ ସୂଚନା ଟାୱାର ସ୍ଥାପିତ କରାଯାଇଛି ବୋଲି କୁହାଯାଇଛି। ଏହି ସୂଚନା ଟାୱାରକୁ ହାଇଦ୍ରାବାଦଠାରେ ନିୟନ୍ତ୍ରଣ କେନ୍ଦ୍ର ରହିଛି ବୋଲି ବ୍ଲକ କାର୍ଯ୍ୟଳୟ ସୂତ୍ରରୁ ଜଣାପଡିଛିୟ ତେବେ ବଙ୍ଗୋପସାଗରରେ ଗଭୀର ଜଳ ରାଶି ରେ ଭୀଷଣ ଭୂକମ୍ପ ଅନୁଭୂତ ହେଲେ ଏହି ଅଞ୍ଚଳ ପାଈଁ ବିପଦ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି କଣ୍ଡରା ପାଟିଆ ଗ୍ରାମର ହୃଷୀକେଶ ଗିରି କହିବା କଥା ସାମୁଦ୍ରରେ ସୁନାମୀ ଆସିଲେ ଗଁାରେ ସ୍ଥାପନ ହୋଇଥିବା ଟାୱାର ଏହି ଅଞ୍ଚଳ ପାଇଁ ସଚେତନ କରାଇବା ସହ ଲୋକମାନେ ଉଚ୍ଚ ସ୍ଥାନକୁ ଯାଇ ଜୀବନ ବଞ୍ଚାଇ ପାରିବେ ବୋଲି କହିଛନ୍ତି।