ୱାଶିଂଟନ୍, ୩୦ା୪:ଆମେରିକା ପାସ୍ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ ପରିଚୟ ଲଦିବା ପ୍ରୟାସରେ ଏହା ଟ୍ରମ୍ପଙ୍କ ଆଉ ଏକ ବଡ଼ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ଆମେରିକା ସ୍ବାଧୀନତା ଘୋଷଣାନାମାର ୨୫୦ତମ ବାର୍ଷିକୀ ପାଳନ ଅବସରରେ ବୈଦେଶିକ ବିଭାଗ ପକ୍ଷରୁ ଏକ ‘ଲିମିଟେଡ ଏଡିଶନ’ ପାସ୍ପୋର୍ଟ ଜାରି କରାଯିବ। ଫକ୍ସ ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ଏହି ପାସ୍ପୋର୍ଟ ଭିତରେ ଦୁଇଟି ପ୍ରମୁଖ ଛବି ରହିବ। ଗୋଟିଏ ପୃଷ୍ଠାରେ ସ୍ବାଧୀନତା ଘୋଷଣାନାମା ଉପରେ ଟ୍ରମ୍ପଙ୍କ ସରକାରୀ ଫଟୋ ରହିବ ଏବଂ ତା’ ତଳେ ସୁନା ଅକ୍ଷରରେ ତାଙ୍କର ଦସ୍ତଖତ ରହିବ। ଅନ୍ୟ ଏକ ପୃଷ୍ଠାରେ ଆମେରିକାର ପ୍ରତିଷ୍ଠାତା ଜନକମାନଙ୍କର ଏକ ଐତିହାସିକ ଚିତ୍ର ରହିବ। ବୈଦେଶିକ ବିଭାଗ ମୁଖପାତ୍ର ଟମି ପିଗୋଟ୍ ଏହି ସୂଚନା ଦେଇଛନ୍ତି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ସ୍ବତନ୍ତ୍ର ପାସ୍ପୋର୍ଟ କେବଳ ୱାଶିଂଟନ୍ରେ ଉପଲବ୍ଧ ହେବ। ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ଜଣେ ଆବେଦନକାରୀ ଚାହିଁଲେ ଏହି ସ୍ବତନ୍ତ୍ର ପାସ୍ପୋର୍ଟ ନେବାକୁ ମନା କରିପାରିବେ କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ସାଧାରଣତଃ ଗଣତାନ୍ତ୍ରିକ ଦେଶଗୁଡ଼ିକରେ କାର୍ଯ୍ୟରତ ଶାସକଙ୍କ ଫଟୋ ପାସ୍ପୋର୍ଟରେ ରହିବାର ନଜିର ପ୍ରାୟ ନାହିଁ। ଆମେରିକାର ପାସ୍ପୋର୍ଟରେ ଏପର୍ଯ୍ୟନ୍ତ ଚନ୍ଦ୍ର ଅବତରଣ କିମ୍ବା ଷ୍ଟାଚ୍ୟୁ ଅଫ ଲିବର୍ଟି ଭଳି ଐତିହାସିକ ସ୍ଥାନର ଚିତ୍ର ସ୍ଥାନ ପାଉଥିଲା। ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପରେ ଟ୍ରମ୍ପ୍ ସରକାରୀ ସମ୍ପତ୍ତି ଉପରେ ନିଜ ନାମ ଓ ଛବି ବ୍ୟବହାର କରିବାରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛନ୍ତି। ରାଜଧାନୀର ଅନେକ ସରକାରୀ କୋଠାରେ ରାଷ୍ଟ୍ରପତିଙ୍କ ବଡ଼ ବଡ଼ ବ୍ୟାନର ଲାଗିଛି। ‘କେନେଡି ସେଣ୍ଟର’ ଭଳି ପ୍ରସିଦ୍ଧ ସ୍ଥାନରେ ତାଙ୍କ ନାମ ଯୋଡ଼ା ଯାଇଛି। ଆସନ୍ତା ମାସରୁ ଆମେରିକୀୟ ଡଲାର ନୋଟ୍ରେ ମଧ୍ୟ ଟ୍ରମ୍ପ୍ଙ୍କ ଦସ୍ତଖତ ରହିବ ବୋଲି ଟ୍ରେଜେରି ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ବ୍ରିଟେନର ରାଜା ଚାର୍ଲସ (ତୃତୀୟ) ୱାଶିଂଟନ୍ ଗସ୍ତରେ ଆସି ଟ୍ରମ୍ପ୍ଙ୍କୁ ଭେଟିଥିବାବେଳେ ଏହି ନୂଆ ଘୋଷଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ ଯେ, ବ୍ରିଟେନରେ ମୁଦ୍ରା ଉପରେ ରାଜାଙ୍କ ଛବି ରହିଥାଏ, କିନ୍ତୁ ସେ କୌଣସି ରାଜନୈତିକ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ନ ଥାନ୍ତି।