ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ନୋଟିସ ଜାରି କରିଛନ୍ତି। କୁହାଯାଇଛି ଯେ, ନୂତନ ଟାରିଫ୍ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ଲାଗୁ ହେବ। ଟ୍ରମ୍ପ ଏବଂ ଭାରତ ମଧ୍ୟରେ ଦୂରତା ଆହୁରି ବଢ଼ିବାକୁ ଯାଉଛି। ଭାରତ ରୁଷିଆରୁ ତେଲ କିଣିବା ଯୋଗୁ ଟ୍ରମ୍ପ କ୍ଷୁବ୍ଧ ଏବଂ ସେ ଏହା ଉପରେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।
ଟ୍ରମ୍ପ ପ୍ରଶାସନ କହିଛି ଯେ, ଭାରତ ରୁଷିଆରୁ ତେଲ କ୍ରୟ କରିବା ଜାତୀୟ ସୁରକ୍ଷା ପାଇଁ ଚିନ୍ତାର ବିଷୟ। ଆମେରିକାର ଗୃହ ସୁରକ୍ଷା ବିଭାଗ କଷ୍ଟମ୍ସ ଏବଂ ସୀମା ସୁରକ୍ଷା ମାଧ୍ୟମରେ ଟାରିଫ୍ ବିଷୟରେ ସୂଚନା ଶେୟାର କରିଛି। ଟ୍ରମ୍ପ ଏହା ମାଧ୍ୟମରେ ଭାରତ ଉପରେ ଚାପ ବୃଦ୍ଧି କରିବାକୁ ଚାହୁଁଛନ୍ତି। ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ, କିନ୍ତୁ ପରେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି।
ଟ୍ରମ୍ପ ରୁଷିଆ ସହିତ ସମ୍ପର୍କ ରଖିଥିବା ଦେଶମାନଙ୍କ ଉପରେ ଚାପ ବୃଦ୍ଧି କରୁଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ବହୁତ ଭଲ ବନ୍ଧୁତା ଅଛି ଏବଂ ଉଭୟଙ୍କ ମଧ୍ୟରେ ବାଣିଜ୍ୟ ମଧ୍ୟ ହୁଏ। ଟ୍ରମ୍ପ କହିଛନ୍ତି, ଭାରତ ରୁଷିଆରୁ ତେଲ କିଣି ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେଉଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବହୁତ ଦିନ ଧରି ଯୁଦ୍ଧ ଚାଲିଛି। ଏହାକୁ ସମାପ୍ତ କରିବା ପାଇଁ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏବଂ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ।
ଭାରତର ବୈଦେଶିକ ମନ୍ତ୍ରଣାଳୟ ୫୦ ପ୍ରତିଶତ ଟାରିଫ୍କୁ ଭୁଲ ଏବଂ ଅନ୍ୟାୟ ବୋଲି କହିଥିଲା। ଆବଶ୍ୟକତା ଏବଂ ଜାତୀୟ ସ୍ବାର୍ଥକୁ ଧ୍ୟାନରେ ରଖି ରୁଷିଆରୁ ତେଲ କିଣୁଛି। ତେଲ ଯେଉଁଠାରୁ ଶସ୍ତାରେ ମିଳିବ ସେଠାରୁ କିଣାଯିବ ବୋଳି ଭାରତ କହିଥିଲା।
ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହେବାକୁ ନ ଥିଲା, ଯାହା ଟ୍ରମ୍ପଙ୍କ ଜିଦ ଯୋଗୁ ଅଟକି ରହିଛି। ଟ୍ରମ୍ପ ଚାହାଁନ୍ତି ଯେ, ଭାରତ ତାଙ୍କ ପାଇଁ କୃଷି ଏବଂ ଦୁଗ୍ଧ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଖୋଲି ଦେଉ, କିନ୍ତୁ ଭାରତ ଏଥିପାଇଁ ପ୍ରସ୍ତୁତ ନୁହେଁ। ସେ ଏହି ପ୍ରସଙ୍ଗରେ କହିଛନ୍ତି ଯେ କୃଷକମାନଙ୍କ ସହ ଜଡିତ ପ୍ରସଙ୍ଗରେ କୌଣସି ସାଲିସ ହୋଇପାରିବ ନାହିଁ।


