ଓଲଟିଲା ଟ୍ରକ୍‌: ଚାଲିଗଲା ୧୫ ଗୋରୁଙ୍କ ଜୀବନ

ତେଲକୋଇ/କେନ୍ଦୁଝର ୫ା୧୧(ରଞ୍ଜିତ ବିଶ୍ବାଳ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝାବାହାଲ ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗୋରୁବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୫ ଗୋରୁଙ୍କ ମୃତ୍ୟୁ ଘଟିଛି। ବହୁ ଗୋରୁ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ସମ୍ବଲପୁରରୁ କେନ୍ଦୁଝର ଆଡ଼କୁ ୧୬ ଚକିଆ ଟ୍ରକ୍‌ ଯାଉଥିଲା। ବିଞ୍ଝାବାହାଲ ନିକଟରେ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥାକ ଥାକ ହୋଇ ଗୋରୁ ବୋଝେଇ ହୋଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଟ୍ରକ୍‌ରୁ ଗୋରୁଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ଗୋରୁଙ୍କୁ ଉଦ୍ଧାର କରିଥିଲେ। ତେବେ ଟ୍ରକ୍‌ ମଧ୍ୟରେ ଚାପି ହୋଇ ୧୫ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଆହତ ଗୋରୁଙ୍କୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ଜାରି ରହିଛି। ତେଲକୋଇ ପୋଲିସ ଟ୍ରକ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି।