କୋକସରା,୨୬ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି, ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ବୁଧବାର ଏକ ଟ୍ରକ୍ ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଡ୍ରାଇଭର ସତ୍ୟ ପଟେଲ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଜାତୀୟ ରାଜପଥ ୨୬ ଆମପାଣି ଘାଟି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଏକ ମକା ଟ୍ରକ୍ ୪୦ ଫୁଟ ତଳକୁ ଖସିପଡ଼ିଥିବାବେଳେ ଡ୍ରାଇଭର ସତ୍ୟ ପଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଟ୍ରକ୍ରେ ଥିବା ମୃତ ଡ୍ରାଇଭରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନାନୁଯାୟୀ, ନବରଙ୍ଗପୁର ଜିଲା ମୈଦାଲପୁରରୁ ମକା ବୋଝେଇ ଟ୍ରକ୍ ଲଡୁଗାଁ ଆସୁଥିଲା। ମୃତ ଡ୍ରାଇଭର ସତ୍ୟ ପଟେଲର ଘର ଧର୍ମଗଡ଼ ବ୍ଲକ ରଙ୍କାବାହଲି ବୋଲି ସୂଚନା ମିଳିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଗୃହରେ ରଖିଛି। ଗୁରୁବାର ବ୍ୟବଚ୍ଛେଦ ହେବା ନେଇ ଆମପାଣି ଥାନା ପକ୍ଷରୁ ସୂଚନା ମିଳିଛି।
Dharitri – Odisha’s No.1 Odia Daily

