ବୀରଛକରେ ଉଡ଼ିଲା ତ୍ରିରଙ୍ଗା

ବରଗଡ଼ ଅଫିସ ୧୫।୮: ବରଗଡ଼ ସହର ଉପକଣ୍ଠ ବୀରଛକରେ ସୋମବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶହୀଦ ମାଧ ସିଂଙ୍କ ନାମରେ ନାମିତ ବୀରଛକରେ ତାଙ୍କର ଦାୟାଦ ମମତା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ଓ ସଂକଲ୍ପ ପରିବାର ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା। ବରଗଡ଼ ସାମ୍ବାଦିକ ସଂଘର ଉପସଭାପତି ବୀରେନ୍ଦ୍ର ପ୍ରଧାନ ସଂଗ୍ରାମୀ ମାନଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ। ସ୍ବାଧୀନତାର ଶତାବ୍ଦୀ ମହୋତ୍ସବ ପାଳନ ପାଇଁ ଏବେଠୁ ପ୍ରସ୍ତୁତି ପର୍ବ କରିବାକୁ ସେ ଆହ୍ବାନ ଦେଇଥିଲେ। କୋଶଲ ସଂଗ୍ରାମୀ ସୁରେନ୍ଦ୍ର କୁମାର ପଣ୍ଡା କହିଥିଲେ, ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଆମେ ପୂର୍ଣ୍ଣାଙ୍ଗ ସ୍ବାଧୀନତା ହାସଲ କରିନାହୁଁ । ଏଥିପାଇ ସଂଗ୍ରାମ ଆଗକୁ ଜାରି ରଖିବାକୁ ସେ କହିଛନ୍ତି। ସଂକଲ୍ପ ପରିବାରର ସଭାପତି ରୋହିତ ଜୟସୱାଲ, ବିକାଶ ଅଗ୍ରୱାଲ, ଜି. ରମେଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।