ଚାଷ ଉପରେ ଗୁରୁତ୍ୱ ଦିଅନ୍ତୁ ଆଦିବାସୀ: ମହାସଂଘ

ଝାରସୁଗୁଡ଼ା ଅଫିସ, ୨୬।୧୨: ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକ ଗଉଡ ପାନପାଲି ପଞ୍ଚାୟତ ତୁମ୍ବାଡିହି ଗ୍ରାମରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଦିବାସୀଙ୍କ ପରିଚୟ ଉପରେ ଆଲୋଚନା ହୋଇଥିଲା। ଏପରିକି ଆଦିବାସୀଙ୍କ ଶିକ୍ଷା ଓ କୃଷିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତ୍ୟେକ ଆଦିବାସୀ ପରିବାର କୃଷି ଉପରେ ପ୍ରାଧାନ୍ୟ ଦେବାକୁ ଆହ୍ବାନ କରାଯାଇଥିଲା। ଯୋଗ୍ୟତା ଅନୁସାରେ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଜିଲାର କିର୍ମିରା ଓ ଲଇକେରା ବ୍ଲକକୁ ଆଇଟିଡିଏ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଏନେଇ ୨୦୧୬ରୁ ଆଦିବାସୀ ମହାସଂଘ ଲଢ଼େଇ କରିଆସୁଛି। ଏନେଇ ବ୍ଲକ ଦ୍ବୟର ଆଦିବାସୀମାନଙ୍କ ସଫଳତା ବିଷୟରେ ଆଲୋକପାତ କରି ବ୍ଲକ ପରିଚାଳନା କମିଟି ନିମନ୍ତେ ପ୍ରତ୍ୟେକ ଗ୍ରାମରୁ ମହିଳା ଓ ପୁରୁଷ ୪ଜଣ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ବିଧିବଦ୍ଧ ଘୋଷଣା କରିବା ପର୍ଯ୍ୟନ୍ତ ଲଢ଼େଇ ଜାରିରହିବ ବୋଲି ଆଦିବାସୀ ମହାସଂଘର ସଭାପତି ପଦ୍ମଲୋଚନ ବୁଦୁଲା କହିଛନ୍ତି। ଏଥିରେ ସମ୍ପାଦକ ଲିଙ୍ଗରାଜ ପ୍ରଧାନ, ମହିଳା ସଭାନେତ୍ରୀ ସୁରତି ଓରାମ, ଉପସଭାପତି କ୍ଷୀରୋଦ କିଷାନଙ୍କ ସହ ବୈଦେହୀ ମାଝି, ଯଶୋବନ୍ତୀ ରାଉତ, ପ୍ରମୋଞ୍ଜନି ଛତ୍ରିଆ, ସନ୍ତୋଷ କିଷାନ ଓ ପ୍ରଫୁଲ୍ଲ ଛତ୍ରିଆ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ। ଆସନ୍ତା ଜାନୁଆରୀରେ ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତରେ ଆଦିବାସୀ ମହାସଂଗ୍ରାମ ସଭା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।