କାଲିମେଳା,୨୦।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି l ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁମୁକା ପଞ୍ଚାୟତ ଅଞ୍ଚଳରେ ଜଣେ ମହିଳା ଏକାକି ରହୁଥିଲେ। ତାଙ୍କ ସ୍ବାମୀ ବାହାରେ ରହି କାମ କରୁଛନ୍ତି। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଜଣାପଡ଼ିଛି l ମହିଳା ଜଣକ ଏକୁଟିଆ ଥିବା ବେଳେ ପୁଲିମେଟଲା ଗ୍ରାମର ମୁକା ପଡ଼ିଆମି ଘରେ ପଶି ତାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମହିଳା ଜଣକ ଘରେ ଏକୁଟିଆ ଥିବା ବେଳେ ଏହି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି।
ଘଟଣା ପରେ ଅଭିଯୁକ୍ତ ଯୁବକଙ୍କୁ ଗ୍ରାମବାସୀ କାବୁକରି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି l କାଲିମେଳା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଯୁବକଙ୍କୁ ଉଦ୍ଧାରକରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ପୋଲିସ ନିଜ ହେପାଜତରେ ରଖିଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଦୁର୍ଯ୍ୟୋଧନ ସୁନାନି ସୂଚନା ଦେଇଛନ୍ତି । ଘଟଣାର ୨୦ ଘଣ୍ଟା ପରେ ମଧ୍ୟ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । କାଲିମେଳା ଥାନା ପକ୍ଷରୁ ନଂ.୪୭/୨୫ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ l ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।


