ବାଇକ୍‌ରେ ଯାଉଥିଲେ ଦମ୍ପତି: ପଡ଼ିଲା ଗଛଡାଳ

ମୁରିବାହାଲ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା। ଫଳରେ ବାଇକ୍‌ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟଲାର ଡ଼ାଇରେକ୍ଟର ସାହୁ(୩୫) ଏବଂ ତାଙ୍କର ସ୍ତ୍ରୀ କୁନ୍ତଳିନୀ ସାହୁ(୩୦)।

ଗୁରୁବାର ଅପରାହ୍ନରେ ଏକ ବାଇକ୍‌(ନଂ .ଓଡି୧୭ଏ୭୮୭୦) ଯୋଗେ ସାହୁ ଦମ୍ପତି ଗୁଡିଘାଟରୁ କଣ୍ଟାବାଞ୍ଜି ଯାଉଥିଲେ। ସେତିକିବେଳେ ଚନାବାହାଲ ଗ୍ରାମର ମକୁନ୍ଦ ମେହେର ରାସ୍ତାପାର୍ଶ୍ୱରେ ଥିବା ଏକ ଛାକୁଣ୍ଡା ଗଛ କଟାଉଥିଲେ। ପଥାଚାରୀଙ୍କୁ କୌଣସି ସତର୍କ ସୂଚନା ଦିଆଯାଇ ନ ଥିଲା। ଫଳରେ ସାହୁ ଦମ୍ପତି ସେହି ବାଟ ଦେଇ ଯିବା ବେଳେ ଗଛର ଡାଳ ତାଙ୍କ ଉପରେ ପଡି ଯାଇଥିଲା। ଫଳରେ ଉଭୟେ ଡାଳ ତଳେ ଚାପି ହୋଇ ଯାଇଥିଲେ। ଉଭୟଙ୍କ ମୁଣ୍ଡରେ ଓ ଅଣ୍ଟାରେ ଆଘାତ ଲାଗିଛି। ଖବର ପାଇ ମୁରିବାହାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।