ମୋବାଇଲ ଲାଇଟ୍‌ରେ ଚିକିତ୍ସା

ବ୍ରହ୍ମପୁର ଅଫିସ,୧୫ା୯:ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟୁତ ବିଭ୍ରାଟ ଯୋଗୁ ମଙ୍ଗଳବାର କ୍ୟାନସର ୱାର୍ଡ଼ ଆଉଟ୍‌ଡୋରରେ ମୋବାଇଲ ଲାଇଟ୍‌ରେ ରୋଗୀ ସେବା କରାଯାଇଛି। ମୋବାଇଲ ଫୋନ୍‌ ଟର୍ଚ୍ଚ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ଔଷଧ ଲେଖିବା ସହ ବିଭିନ୍ନ ପରାମର୍ଶ ଦେବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଲଘୁଚାପଜନିତ ବର୍ଷା ପବନରେ ମେଡିକାଲ ପରିସରରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରରେ ଗଛଡାଳ ଲାଗି ଯାଇଥିଲା। ଉକ୍ତ ଡାଳ କାଟିବା ମଧ୍ୟାହ୍ନରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହି କ୍ୟାନସର ୱାର୍ଡ଼ ଆଉଟ୍‌ଡୋରରେ ରୋଗୀଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ଉକ୍ତ ବିଭାଗକୁ ଜେନେନେଟର୍‌ ସଂଯୋଗ ହୋଇ ନ ଥିବାରୁ ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟରେ ରୋଗୀ ଦେଖିଥିଲେ। ଏ ସମ୍ପର୍କରେ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେରସ ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି, ଗଛ ଡାଳ କାଟିବା ପାଇଁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା। ସମସ୍ତ ବିଭାଗକୁ ଜେନେନେଟର୍‌ ସଂଯୋଗ କରାଯାଇଥିବା ବେଳେ କ୍ୟାନସର୍‌ ୱାର୍ଡ଼କୁ ଜେନେନେଟର୍‌ ସଂଯୋଗ ହୋଇନାହିଁ। ନିକଟରେ ଥିବା ରେଡ଼ିଓ ଡାଇଗ୍ନୋଷ୍ଟିକ୍‌ ବିଭାଗର ଜେନେନେଟରରୁ ସଂଯୋଗ ଦେବା ପାଇଁ କୁହାଯାଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି।