Categories: ଫୁରସତ

ଗୋଟେ ହାତ ଓ ଅଧା ଗୋଡରେ ପୃଥିବୀ ଭ୍ରମଣ

କିଛି ଲୋକ ନିଜର ସ୍ଥିତି ପାଇଁ ସବୁବେଳେ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି। ହେଲେ ଆଉ କେତେଜଣ ବିଶ୍ୱାସ କରନ୍ତି ନିଜର ଉପରେ। ଭାଗ୍ୟକୁ ଦୋଷାରୋପ ନ କରି ନିଜକୁ ସେମାନେ ସମର୍ଥ କରି ଗଢନ୍ତି। ଠିକ୍‌ ଯେମିତିକି ଏଇ ମହିଳା। କାନାଡାର ୨୫ ବର୍ଷୀୟା ଚାର୍ଲି ରାଉସିଉଙ୍କର ଜନ୍ମରୁ ଗୋଟିଏ ହାତ ନ ଥିବା ବେଳେ ଦୁଇ ଗୋଡ ସମ୍ପୂର୍ଣ୍ଣ ବିକଶିତ ନୁହେଁ। କହିବାକୁ ଗଲେ ଦୁଇ ଗୋଡ ଅଧା ହିଁ ଅଛି। ହେଲେ ସେ ନିଜର ଏଭଳି ସ୍ଥିତିକୁ ନିଜର ଦୁର୍ବଳତା ହେବାକୁ ଦେଇ ନାହାନ୍ତି। ଜୀବନକୁ ଖୁସିରେ ବିତାଇବା ସହ ନିଜର ସବୁ ସ୍ବପ୍ନକୁ ପୂରଣ ବି କରୁଛନ୍ତି। ଏମିତିରେ ଅନେକ ବାଧା ବିଘ୍ନର ସାମ୍‌ନା କରିଛନ୍ତି। ହେଲେ ସେସବୁକୁ ଆଡେଇ ସେ ଜଣେ ରେଡିଓ ହୋଷ୍ଟ ହୋଇପାରିଛନ୍ତି। ତା’ସହ ପୃଥବୀ ଭ୍ରମଣ କରିବାର ସ୍ବପ୍ନକୁ ବି ପୂରା କରିବା ପାଇଁ ବିଭିନ୍ନ ଦେଶ ବୁଲୁଛନ୍ତି। ସେ ମେକ୍ସିକୋ, ଅଷ୍ଟ୍ରେଲିଆ, ୟୁକେର ସବୁ ସ୍ଥାନ ଭ୍ରମଣ କରିସାରିଲେଣି। ଅନ୍ୟ ଦେଶଗୁଡିକୁ ଭ୍ରମଣ କରିବାର ପ୍ରୟାସ ଜାରି ରଖିଛନ୍ତି। ଭ୍ରମଣ ସମୟର ଫଟୋ ସେ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରୁଛନ୍ତି। ଲୋକେ ସେସବୁକୁ ଦେଖି ତାଙ୍କ ସାହସ ଓ ଦୃଢମନୋବଳକୁ ବହୁତ ପ୍ରଶଂସା କରୁଛନ୍ତି।

Share