ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରମା ପ୍ରଧାନ (୪୫), ଶିବରମ ପ୍ରଧାନ(୨୫), ନର୍ମଦା ପ୍ରଧାନ (୨୫), ରମା ପ୍ରଧାନ(୬୦), ଶୁଭାସ୍ମିତା ପ୍ରଧାନ (୭), ଅମିତ ପ୍ରଧାନ (୨) ଓ ଅଟୋ ଚାଳକ ଏ. ଗୌରାଙ୍ଗ ରେଡ୍ଡୀ (୫୬) ପୁରୁଷୋତ୍ତମପୁର ବ୍ଲକ କଇଠଡା ଗ୍ରାମରୁ ଗୋଟିଏ ପରିବାରର ୭ ଜଣ ଅଟୋ ନଂ (ଓଡି ୦୭ଜେ ୨୨୨୦)ରେ ଛତ୍ରପୁର ବ୍ଲକର ମାୟାପାଟଣା ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଆସୁଥିଲେ। ଚମାଖଣ୍ଡି ଛକଠାରେ ସେମାନେ ଭୁଲବଶତଃ ଅନ୍ୟ ଗ୍ରାମକୁ ଚାଲି ଯାଇଥିଲେ। ପୁଣି ଜାତୀୟ ରାଜପଥରେ ଫେରିବା ବେଳେ ଟ୍ରେଲର (ଏନଏଲ ୦୧କ୍ୟୁ ୫୯୯୯) ଅଟୋକୁ ପଛପଟୁ ଧକ୍କା ଦେଇ ଚାଲି ଯାଇଥିଲା । ସ୍ଥାନୀୟ ଅଟୋଚାଳକମାନଙ୍କ ସହଯୋଗରେ ଆହତ ଦୁର୍ଘଟଣାଗ୍ରସ୍ତ ଅଟୋଚାଳକଙ୍କ ସମେତ ଆଠ ଜଣଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇ ପଳାଇ ଯାଇଥିବା ଟ୍ରେଲରକୁ ଚମାଖଣ୍ଡି ପୋଲିସ ପୋକଡିବନ୍ଧ ଛକରେ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।