ସମ୍ବଲପୁର,୧୭।୧୦(ପ୍ରମୋଦ ବହିଦାର): ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଜାମଟାଲ ମହାକାଳ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ଚିକତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ଛତିଶଗଡ଼ ରାୟପୁର ଅଞ୍ଚଳର ଶାଶୁ ପାୟଲ ଦାସ(୯୦) ଏବଂ ତାଙ୍କର ଜାମାତା(ଜ୍ୱାଇଁ) ଶେଖର ମହାରାଜା(୩୦) ବୋଲି ପରିଚୟ ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଛତିଶଗଡ଼ ରାୟପୁରପୁରରୁ ଗୋଟିଏ ପରିବାରର ୭ଜଣ ସଦସ୍ୟ ଏକ ସ୍କର୍ପିଓ ଗାଡ଼ି(ସିଜି-୦୪-ପିଏଫ-୮୯୯୯)ରେ ପୁରୀ ଅଭିମୁଖେ ଯାଉଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଦ୍ରୁତଗତି ଯାଉଥିବା ବେଳେ ଭାରସାମ୍ୟ ହରାଇ ସ୍କର୍ପିଓଟି ରାସ୍ତା କଡ଼ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଯୁଯୋମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲା। ସେହିପରି ମୃତଦେହଗୁଡ଼ିକୁ ଜବତ କରାଯାଇ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ମର୍ଗକୁ ପଠାଯାଇଥିଲା। ପରେ ଶନିବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଭିମସାର ପଠାଯାଇଛି। ପୋଲିସ ଏହି ମାମଲାରେ ଏକ ତଦନ୍ତ ଆରମ୍ଭ କରି ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି।