Categories: ଭଦ୍ରକ

ଟ୍ରାଫିକ୍‌ ସମସ୍ୟାରେ ନାକେଦମ୍‌

ବାସୁଦେବପୁର, ୭ା୭(ଡି.ଏନ.ଏ.): ଭଦ୍ରକ ଜିଲାର ବାସୁଦେବପୁର ସହର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳ। ଧାମରା ବନ୍ଦରକୁ ଏହି ବଜାର ଦେଇ ଜାମୁଝାଡ଼ି-ଧାମରା ରାସ୍ତା ଯାଇଛି। ଦିନକୁ ଦିନ ଧାମରା-ଜାମୁଝାଡ଼ି ରାସ୍ତା ଦେଇ ବନ୍ଦରକୁ ଶତାଧିକ ଟ୍ରକ୍‌ ଓ ଅନ୍ୟ ଯାନବାହନ ଚଳାଚଳ କରୁଥିବାରୁ ବାସୁଦେବପୁର ବଜାରରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଉଛି। ଧାମରା-ଜାମୁଝାଡ଼ି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଦୀର୍ଘଦିନ ଧରି ମନ୍ଥର ଗତିରେ ଚାଲୁଥିବାରୁ ଡ୍ରେନ୍‌ କାମ ଅସମ୍ପୂର୍ଣ୍ଣ ହୋଇରହିଛି। ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ଏହା ବି ଏକ କାରଣ। ଟ୍ରାଫିକ୍‌ ସମସ୍ୟାକୁ ନେଇ ସହରବାସୀ ଓ ଅନ୍ୟ ଜନସାଧାରଣ ନାକେଦମ୍‌ ହୋଇପଡ଼ିଲେଣି। ପରିସ୍ଥିତି ଏପରି ହୋଇଛି ଯେ ସହର ମଧ୍ୟରେ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ବିଭିନ୍ନ ସମୟରେ ଭିଡ଼ରେ ଫଶି ରହୁଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର ଏହି ରାସ୍ତା ଜାମ୍‌ର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନ୍‌ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ଏଥିରୁ ବାହାରିଥିବା ମାଟି ରାସ୍ତାକଡ଼ରେ ପଡ଼ିରହିଛି। କେତେକ ଦୋକାନୀ ଦିନକୁ ଦିନ ସେମାନଙ୍କ ଉଠା ଦୋକାନକୁ ଆଣି ରାସ୍ତାରେ ପହଞ୍ଚାଇଥିବାରୁ ଏପରି ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଉଛି। ରାସ୍ତା ଉପରେ ଗାଡ଼ିଗୁଡ଼ିକୁ ପାର୍କିଂ କରାଯାଉଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଉଥିବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ସହରର ଟ୍ରାଫିକ ସମସ୍ୟା ସମ୍ପର୍କରେ ଗତମାସ ୨୭ ତାରିଖରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଏ ଦିଗରେ ପଦକ୍ଷେପ ନେବାକୁ ବାସୁଦେବପୁର ଥାନା ଆଇଆଇସି ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଆଇଆଇସି ଅମିତ୍‌ ଭୂୟଁାଙ୍କୁ ପଚାରିବାରୁ ପୋଲିସ ଟ୍ରାଫିକ ସମସ୍ୟା ଦୂର ପାଇଁ ପାଟ୍ରୋଲିଂ କରିବା ସହ ଲୋକଙ୍କୁ ସଚେତନ କରୁଛି ବୋଲି କହିଛନ୍ତି।