ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଗାଁର ଏହି ଏକମାତ୍ର ସଂଯୋଗକାରୀ ରାସ୍ତାରେ ଯାତାୟାତ ବନ୍ଦ ହୋଇଯିବାରୁ ପ୍ରଶାସନିକ ସହାୟତା ନପାଇ ଗ୍ରାମବାସୀ ବାଧ୍ୟ ହୋଇ ନିଜେ କୋଦାଳ ଓ ଝୁଡ଼ି ଧରି ଦୁଇ ଦିନ ଧରି ରାସ୍ତା ସଫା କରିଛନ୍ତି।

ପୂର୍ବରୁ ଏହି ଗାଁକୁ ରାସ୍ତା ନ ଥିବାରୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିବା ଏବଂ ପାନୀୟ ଜଳର ଅଭାବ ଭଳି ଅନେକ ସମସ୍ୟା ଭୋଗିବାକୁ ପଡ଼ୁଥିଲା। ୨୦୨୨-୨୩ ମସିହାରେ ପୂର୍ବତନ ସରପଞ୍ଚଙ୍କ ଉଦ୍ୟମରେ ରାସ୍ତା, ନଳକୂପ ଓ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇଥିଲା। ହେଲେ ବର୍ତ୍ତମାନର ପ୍ରଶାସନ ଏହି ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନାହିଁ ବୋଲି ସମାଜସେବୀ ଶଙ୍କର ପ୍ରସାଦ ନାଏକ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ସରପଞ୍ଚ ମହେନ୍ଦ୍ର ନାଏକ କହିଛନ୍ତି ଯେ, ଏ ନେଇ ପୂର୍ବରୁ କୌଣସି ଲିଖିତ ଅଭିଯୋଗ ମିଳି ନ ଥିଲା। ଏବେ ଘଟଣା ବାବଦରେ ଜାଣିବା ପରେ, ଶ୍ରମଦାନ କରିଥିବା ଗ୍ରାମବାସୀଙ୍କୁ ପଞ୍ଚାୟତ ପକ୍ଷରୁ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତୁରନ୍ତ ରାସ୍ତା ସ୍ବାଭାବିକ କରିବା ସହ ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share