Categories: ଫୁରସତ

ପର୍ଯ୍ୟଟନସ୍ଥଳୀ: ପବିତ୍ର ତୀର୍ଥଭୂମି ହୋଡଲ

ହରିୟାଣାର ପଲ୍‌ଓ୍ବଲ ଜିଲାରେ ଥିବା ହୋଡଲ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଏଠାକାର ଶାନ୍ତ, ସୁନ୍ଦର ଓ ସ୍ବଚ୍ଛ ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ପ୍ରାୟତଃ ଏଠାରେ ଆଗନ୍ତୁକଙ୍କର ଭିଡ଼ ଦେଖିବାକୁ ମିଳିଥାଏ…

ହୋଡଲ ହେଉଛି ହରିୟାଣାର ପଲ୍‌ଓ୍ବଲ ଜିଲା ଅନ୍ତର୍ଗତ ଏକ ସହର। କୋଳାହଳମୟ ପରିବେଶରୁ ଦୂର ଏହି ସହରରେ ଦେଖିବାକୁ ମିଳିଥାଏ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ବିଶେଷ କରି ଏଠାରେ ଥିବା ଚମେଲି ବଣ ହେଉଛି ଏକ ପବିତ୍ର ସ୍ଥାନ। ଏଠାରେ ଭଗବାନ ହନୁମାନଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯେଉଁଠାରେ ପ୍ରତି ମଙ୍ଗଳବାର ଦିନ ବଡ଼ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଥାଏ। ଆଉ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ବୁଲି ଆସିଥାନ୍ତି।

ଆଉ କ’ଣ ଦେଖିବେ
ଦିଲ୍ଲୀଠାରୁ ପ୍ରାୟ ୮୮ କି.ମି. ଏବଂ ଆଗ୍ରାଠାରୁ ପ୍ରାୟ ୧୫୦ କି.ମି. ଦୂରରେ ଅବସ୍ଥିତ ହୋଡଲ ଏବେ ଆର୍ଥିକ, ସାଂସ୍କୃତିକ, ଧାର୍ମିକ ତଥା ଶିକ୍ଷା କ୍ଷେତ୍ରରେ ବେଶ୍‌ ଅଗ୍ରଗତି ହେବାରେ ଲାଗିଛି। ସେହି ଦୃଷ୍ଟିରୁ ଦେଖିଲେ ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ନୂଆ ନୂଆ ପର୍ଯ୍ୟଟନସ୍ଥଳୀମାନ ଗଢାଯାଉଛି। ତନ୍ମଧ୍ୟରୁ କେତୋଟି ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଭିତରେ ଚମେଲି ବଣ ମନ୍ଦିର, କିଶୋରୀ ମହଲ, ସତୀ ସରୋବର, ଡବଚିକ୍‌, ଶିବମନ୍ଦିର, ପାଣ୍ଡବକାଲୀନ ମନ୍ଦିର, ତ୍ୟାଗୀବାବା ମନ୍ଦିର ଇତ୍ୟାଦି ହେଉଛି ଅନ୍ୟତମ। ଯେହେତୁ ଏଠାରେ ଏକାଧିକ ଧାର୍ମିକ ପୀଠ ଥିବାର ଦେଖାଯାଇଥାଏ; ତେଣୁ ହୋଡଲକୁ ଅନେକେ ଏକ ପବିତ୍ର ତୀର୍ଥଭୂମି ଭାବେ ବିବେଚନା କରିଥାନ୍ତି।

ଦୁଃସାହସିକ ପର୍ଯ୍ୟଟନର ମଜା
ଦୁଃସାହସିକ କ୍ରୀଡ଼ା ପାଇଁ ହୋଡଲରେ ଅନେକ ସୁବିଧା ରହିଛି। ଖାସ୍‌ କରି ଟ୍ରେକିଂ, ହାଇକିଂ ଆଦି ଏଠାରେ ସୁବିଧାରେ କରି ହୋଇଥାଏ। ହେଲେ ବର୍ଷାଦିନେ ଏହି କ୍ରୀଡ଼ା ପାଇଁ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ତା’ଛଡ଼ା ଏଠାରେ ଟିକେ ଜଙ୍ଗଲିଆ ପରିବେଶ ଥିବାରୁ ଅନେକ ପଶୁପକ୍ଷୀଙ୍କୁ ମଧ୍ୟ ଏଠି ଦେଖିହୁଏ।

କେବେ ଯିବେ
ହୋଡଲକୁ ବର୍ଷର ଯେ କୌଣସି ସମୟରେ ବୁଲିଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଫେବୃୟାରୀରୁ ଏପ୍ରିଲ୍‌ ଏବଂ ଅଗଷ୍ଟରୁ ନଭେମ୍ବର ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ।

କେମିତି ଯିବେ
ଦିଲ୍ଲୀ ଏବଂ ଗୁରୁଗ୍ରାମରୁ ହୋଡଲକୁ ବୁଲିଯିବା ପାଇଁ ଟୁରିଷ୍ଟ ବସ୍‌ର ବ୍ୟବସ୍ଥା ରହିଛି। ଏପିରିକି ଦିଲ୍ଲୀରୁ ନିୟମିତ ବ୍ୟବଧାନରେ ହୋଡଲ ଅଭିମୁଖେ ଟ୍ରେନ୍‌ ଚଳାଚଳ କରିଥାଏ। ତେଣୁ ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ହୋଡଲରେ ପହଞ୍ଚତ୍ପାରିବେ।

Share