ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ପାଲଟିଛିି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ଦାରିଙ୍ଗବାଡି,୮।୬(ଡି.ଏନ.ଏ): ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟି ଗଲାଣି। ଅପରାଧ ଘଟାଇ ସେଠାରେ ଲୁଚି ରହୁଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ହୋଟେଲରେ ୩ ଜଣ ଅପରାଧୀ ଲୁଚିରହିଥିଲେ।ଖବର ପାଇ ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ୱର କମିଶନରେଟ ପୋଲିସ ସ୍ଥାନୀୟ ପୋଲିସ ସହାୟତରେ ୩ ଜଣଙ୍କୁ ଉଠାଇନେଇଛି। ସେମାନେ ବହୁ ଚର୍ଚ୍ଚିତ ଭୁବନେଶ୍ୱର ୟୁନିଟ-୧ ସୁଶାନ୍ତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ, ଉକ୍ତ ୩ ଜଣ ଅପରାଧୀ ଧରିବା ପାଇଁ ପୋଲିସ ସାଧା ପୋଷାକରେ ଜଗି ରହିଥିଲା। ସଂଧ୍ୟାରେ ହୋଟେଲ ରୁମକୁ ସେମାନେ ଆସୁଥିବା ସମୟରେ ପୂର୍ବରୁ ଛପି ରହିଥିବା ପୋଲିସ ସେମାନଙ୍କୁ କାବୁ କରି ନେଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱର ନିଆଯାଇଥିବା ଆଇଆଇଆସି କୌଶିକ ମାଝୀ କହିଛନ୍ତି।

ଏଠାରେ କହି ରଖୁଛୁ, ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ପାଇଁ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ। ଦାରିଙ୍ଗବାଡିକୁ ଦୈନିକ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଥିବାବେଳେ ଅପରାଧୀ ଏହାକୁ ନିଜର ଆଡ୍ଡାସ୍ଥଳୀ କରିସାରିଲେଣି। ଅପରାଧ କରି ସେମାନେ ଏଠି ସୁରକ୍ଷିତ ଭାବେ ଲୁଚି ରହୁଛନ୍ତି। ତେବେ ପୋଲିସ ବିଭିନ୍ନ ସମୟରେ ବିଳମ୍ବିତ ରାତିରେ ହୋଟେଲ ଗୁଡିକରେ ଚଢ଼ାଉ କରୁଥିବା ଆଇଆଇଆସି ମାଝୀ କହିଛନ୍ତି। ଏଥିସହ ସମସ୍ତ ହୋଟେଲରେ ରାତ୍ରିଯାପନ କରୁଥିବା ଲୋକଙ୍କ ତାଲିକା ଥାନାରେ ଦିଆଯିବା ନିୟମ ରହିଥିଲେ ମଧ୍ୟ ଅନେକ ହୋଟେଲ ଏହା କରୁ ନ ଥିବା ଜଣାପଡିଛି। ଫଳରେ ବାହାରୁ ଆସି ରାତ୍ରିଯାପନ କରିଥିବା ପର୍ଯ୍ୟଟକଙ୍କ ତାଲିକା ପୋଲିସ ଜାଣିପାରୁ ନ ଥିବା ଜଣାପଡିଛି।