ବରଗଡ଼ ଜିଲାବାସୀଙ୍କୁ ଟୋଲ୍‌ ଫ୍ରି

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲ ପ୍ଲାଜା ବରଗଡ଼ ଜିଲାବାସୀଙ୍କ ଗାଡ଼ି ପାଇଁ ଟୋଲ ଦେୟମୁକ୍ତ କରିଛି । ଜିଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଓକିଲ ସଂଘ ପକ୍ଷରୁ ହୋଇଥିବା ବିଭିନ୍ନ ଦାବି ପୂରଣ ଉପରେ ମଧ୍ୟ ଟୋଲପ୍ଲାଜା କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି। ଏହାପରେ ଓକିଲ ସଂଘ ପକ୍ଷରୁ ଦୀର୍ଘ ୫ଦିନ ଧରି ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଅନ୍ୟପଟେ ଟୋଲପ୍ଲାଜା କର୍ତ୍ତୃପକ୍ଷ ନିଷ୍ପତ୍ତିରୁ ପୁଣି ଓହରିଲେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଜିଲା ଓକିଲ ସଂଘ ଚେତାବନୀ ଦେଇଛି।
ପ୍ରକାଶ ଯେ, ବରଗଡ଼ ଜିଲା ସୋହେଲା ବ୍ଲକ ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ୮୮କି.ମି ଫୋର୍‌ଲେନ୍‌ ରାସ୍ତା ସମ୍ପୂର୍ଣ୍ଣ ନ କରି ବରାହଗୋଡ଼ା ସ୍ଥିତ ଟୋଲପ୍ଲାଜାରେ ରାସ୍ତା ନିର୍ମାଣକାରୀ ସଂସ୍ଥା ଅଶୋକା ବିଲ୍ଡକନ୍‌ ଟୋଲଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ନ ଥିବା ଯୋଗୁ ପୂର୍ବରୁ ଅଞ୍ଚଳବାସୀଙ୍କ ଦାବିକ୍ରମେ ଜିଲାବାସୀଙ୍କ ଗାଡ଼ିରୁ ଟୋଲ ଅସୁଲି କରାଯାଉ ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ବରଗଡ଼ ଜିଲାବାସୀଙ୍କଠାରୁ ଟୋଲ୍‌ ଅସୁଲି କରାଗଲା। ଏହାକୁ କେନ୍ଦ୍ର କରି ଗତ ୧୫ତାରିଖରୁ ଜିଲା ଓକିଲ ସଂଘ ଟୋଲ୍‌ ପ୍ଲାଜା କର୍ତ୍ତୃପକ୍ଷଙ୍କ ସେଭଳି ସ୍ବେଚ୍ଛାଚାରିତାର ଦୃଢ଼ ପ୍ରତିବାଦ କରିଥିଲା। ଫଳରେ ଟୋଲପ୍ଲାଜାରେ ଟୋଲ ଅସୁଲି ବନ୍ଦ ହୋଇ ଯାଇଥିଲା। ଏହି ଘଟଣାକୁ ନେଇ ଜିଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା ଏବଂ ଦାବିଗୁଡ଼ିକୁ ପୂରଣ ପାଇଁ ଟୋଲପ୍ଲାଜା କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଜିଲା ଓକିଲ ସଂଘ ସଭାପତି ଚନ୍ଦ୍ରଧ୍ୱଜ ଜାଲ, ସମ୍ପାଦକ ହରିହର ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟ ଏବଂ ଅଶୋକା ବିଲ୍ଡକନ ପକ୍ଷରୁ ବିଭାଗୀୟ ଯନ୍ତ୍ରୀ ଚନ୍ଦନ କୁମାର, ସୁବାଷ ବାରିକ, ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡେଲକର ପ୍ରମୁଖ ଉପସ୍ଥିତ ଥିଲେ।