Categories: ଖେଳ

ଟୋକିଓ ଅଲିମ୍ପିକ୍ସ ଆଉ ବର୍ଷେ ରହିଲା

ଟୋକିଓ,୨୩।୭(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। କିନ୍ତୁ ବର୍ଷେ ପୂର୍ବରୁ ମଧ୍ୟ ଅଲିମ୍ପିକ୍ସର ଏଭଳି କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଥିଲା। ସେତେବେଳେ ଅବଗଣନାର ଏକ ବଡ଼ ଉତ୍ସବ ଆୟୋଜିତ ହୋଇଥିଲା। ଅବଶ୍ୟ ସେତେବେଳେ କୋଭିଡ୍‌-୧୯ ମହାମାରୀ ପ୍ରକୋପ ଆରମ୍ଭ ହୋଇ ନ ଥିଲା। ମହାମାରୀ କାରଣରୁ ଏହି ମେଗା ଇଭେଣ୍ଟକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି ଓ ଏହା ଆସନ୍ତାବର୍ଷ ଜୁଲାଇ ୨୩ ତାରିଖରେ ଆରମ୍ଭ ହେବ।
ଏବେ ଅବଗଣନାର ଉତ୍ସବ ସେତେଟା ମନୋରଞ୍ଜକ ନ ଥିଲା। ଦର୍ଶକ ତଥା ପ୍ରଶଂସକଙ୍କ ଅନୁପସ୍ଥିତିରେ ଆୟୋଜକମାନେ ଗୁରୁବାର ନ୍ୟାଶାନାଲ ଷ୍ଟାଡିୟମରେ ୧୫ ମିନିଟ୍‌ର ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ଅବସରରରେ ଅଲିମ୍ପିକ୍ସ ଉଦ୍‌ଘାଟନ ନେଇ ଏକ ଛୋଟିଆ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଅଲିମ୍ପିକ୍‌ ଜ୍ୟୋତି ମଧ୍ୟ ପ୍ରଦର୍ଶୀତ ହୋଇଥିଲା। ଗତ ମାର୍ଚ୍ଚରେ ଜାପାନରେ ଜ୍ୟୋତି ପହଞ୍ଚିଥିଲା। ସେବେଠାରୁ ଏହାକୁ ଅବଶ୍ୟ ସର୍ବସାଧାରଣ ପ୍ରଦର୍ଶନ କରାଯାଇ ନାହିଁ। ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଇଭେଣ୍ଟରେ ଆସନ୍ତାବର୍ଷ ୧୧,୦୦୦ ଆତଲେଟ୍‌ ଓ ୪,୪୦୦ ପାରା ଅଲିମ୍ପିଆନ୍ସ ଅଂଶଗ୍ରହଣ କରିବେ। ଏହି ସଂଖ୍ୟାରେ ଅବନତୀ ହେବ ନାହିଁ। ପୂର୍ବନିର୍ଦ୍ଧାରିତ କାର୍ଯସୂଚୀ ଅନୁଯାୟୀ ୪୨ଟି ଭେନ୍ୟୁରେ ଆଥଲେଟ୍‌ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯ ମହାହମାରୀର ପ୍ରକୋପ ଜାରି ରହିଛି। ଏପରିସ୍ଥଳେ ଅଲିମ୍ପିକ୍‌ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଓ ଆୟୋଜନ ବେଶ୍‌ ଆଶାବାଦୀ ଅଛନ୍ତି।

Share