ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୭ା୫(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ କରିବା ସହ ମନ୍ଦିର ପାର୍ଶ୍ୱଦେଇ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହି ଶୌଚାଳୟ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବ। ସେଠାରୁ କିଛି ଦୂରରେ ପୋଖରୀ ନିକଟରେ ଏକ ବ୍ୟୟବହୁଳ ଶୌଚାଳୟ (ଟଏଲେଟ୍‌ କମ୍ପ୍ଲେକ୍ସ) ନିର୍ମାଣ ହୋଇ ନିକଟରେ ବ୍ୟବହାର କରାଯାଉଥିବା ବେଳେ ଆଉ ଏକ ବ୍ୟୟବହୁଳ ଶୌଚାଳୟ ନିର୍ମାଣ କରିବା କ’ଣ ଆବଶ୍ୟକତା ଥିଲା ବୋଲି ମତ ପ୍ରକାଶ ପାଉଛି ା ଏବେ ବଡ଼ଦାଣ୍ଡ ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଏହାର ତୁରନ୍ତ ବିଚାର କରି ପଦକ୍ଷେପ ନେଇ ବଡ଼ଦାଣ୍ଡ ପାରିପାର୍ଶ୍ୱିକ ଅଞ୍ଚଳର ପରିବେଶକୁ ସ୍ବଚ୍ଛ ଓ ସ୍ବାସ୍ଥ୍ୟକର ରଖିବାକୁ ଦାବି ହେଉଛି।