Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ‘ସ୍ପ୍ଲାସ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୧୨:ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୭ରୁ ୧୪ ବର୍ଷ ବୟସର ପିଲାଙ୍କ ପାଇଁ ଏକ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା ‘ସ୍ପ୍ଲାସ୍‌’ ର ଶୁଭାରମ୍ଭ କରାଯାଇଛି। ବିଶେଷକରି ପରିବେଶ ସଂରକ୍ଷଣ ଉପରେ ପିଲାମାନଙ୍କୁ ସଚେତନ କରାଇବା ଲାଗି ଚଳିତ ବର୍ଷ ପ୍ରତିଯୋଗିତାର ଦୁଇଟି ବିଷୟବସ୍ତୁ ଯଥା ୭ରୁ୧୦ ବର୍ଷର ପିଲାମାନଙ୍କ ପାଇଁ ‘ଏଭରଗ୍ରିନ୍‌ ଇଣ୍ଡିଆ’ ଏବଂ ୧୧ରୁ୧୪ ବର୍ଷର ପିଲାମାନଙ୍କ ପାଇଁ ‘ଭାରତ ୨୦୩୦’ ଶୀର୍ଷକ ବିଷୟବସ୍ତୁ ରଖାଯାଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଧିକାରୀ ଅନୁପ ମନୋହର କହିଛନ୍ତି, ସ୍ପ୍ଲାସ୍‌ ବିଷୟରେ ଘୋଷଣାକରି ଆମେ ଅତ୍ୟନ୍ତ ଆନନ୍ଦିତ। ଉକ୍ତ ପ୍ରତିଯୋଗିତା ଜରିଆରେ ପିଲାମାନଙ୍କ ଚିନ୍ତାଧାରାକୁ ବନ୍ଧନମୁକ୍ତ କରିବା ଆମର ଲକ୍ଷ୍ୟ। ବିଶେଷକରି ଆମ ଦୁନିଆକୁ କିଭଳି ସୁରକ୍ଷା ଦେଇପାରିବା, ତାହା ଜଣାଇବା ଲାଗି କଳାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ସେମାନଙ୍କ ମଧ୍ୟରେ ଦୀର୍ଘମିଆଦୀ ମୂଲ୍ୟବୋଧ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଆମେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ କ୍ଷେତ୍ର ଭିତ୍ତିକ କାର୍ଯ୍ୟକ୍ରମ ଏବଂ ସ୍କୁଲରେ ପ୍ରତିଯୋଗିତା ଭଳି ବିବିଧ ବିକଳ୍ପ ପ୍ରଦାନ କରୁଛୁ ଯାହା ସାରା ଦେଶର ପିଲାମାନଙ୍କୁ ସେମାନଙ୍କ ଚିନ୍ତାଧାରାକୁ ଉପସ୍ଥାପନ କରିବା ଲାଗି ସମାନ ସୁଯୋଗ ପାଇପାରିବେ। ଅତୀତରେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଆମେ ବିପୁଳ ସମର୍ଥନ ହାସଲ କରିଥିଲୁ। ତେଣୁ ଚଳିତ ବର୍ଷ ଏହାକୁ ଆଉ ୫୦୦ଟି ସ୍କୁଲକୁ ସମ୍ପ୍ରସାରିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ପ୍ରତିଯୋଗିତାରେ ସିନିୟର ଓ ଜୁନିୟର ବର୍ଗର ଶ୍ରେଷ୍ଠ ୩ ବିଜେତାଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଏବଂ ୩ ରନର୍ସ ଅପ୍‌ଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିବ। ବିଜେତା ସ୍କୁଲକୁ ଟ୍ରଫି ବି ଦିଆଯିବ। ବିଜେତାଙ୍କ ନାମ ୨୦୨୩ ମାର୍ଚ୍ଚରେ ଘୋଷଣା କରାଯିବ।

Share