ଆଜି ନୀଳାଦ୍ରି ବିଜେ

ପୁରୀ ଅଫିସ, ୧୨ା୭:ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାବାହୁ। ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସୋମବାର ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିବାବେଳେ ମଙ୍ଗଳବାର ଶ୍ରୀବିଗ୍ରହମାନଙ୍କ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶେଷ ହେବ। ନୀଳାଦ୍ରି ବିଜେ ପରେ ବୁଧବାରଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ପାଇବେ ଭକ୍ତ। ପୁଣି ବଡ଼ଦେଉଳରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିବ।
ବିଜେ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ତିନି ରଥରେ ଶ୍ରୀବିଗ୍ରହମାନଙ୍କ ମଙ୍ଗଳ ଆଳତି ପ୍ରାତଃ ୪ଟାରେ ହେବ। ମଇଲମ ତଡ଼ପ ଲାଗି ୪ଟା ୩୦, ଅବକାଶ ଭୋର ୫ଟା, ବେଶ ଶେଷ ୫ଟା ୩୦, ଗୋପାଳବଲ୍ଲଭ ସକାଳ ୬ଟା ୩୦, ସକାଳ ଧୂପ ୭ଟାରୁ ୮ଟା, ମଇଲମ ୮ଟା ୩୦, ମହାସ୍ନାନ ଓ ସର୍ବାଙ୍ଗ ୯ଟା ୩୦, ବେଶ ଶେଷ ୧୦ଟା, ମଧ୍ୟାହ୍ନ ଧୂପ ୧୦ଟା ୩୦ରୁ ୧୧ଟା ୩୦, ମଇଲମ ଓ ବେଶ ୧୧ଟା ୪୫ରୁ ୧୨ଟା, ସନ୍ଧ୍ୟା ଆଳତି ୧୨ଟା ୧୫, ସନ୍ଧ୍ୟାଧୂପ ୧୨ଟା ୩୦ରୁ ୧ଟା ୩୦, ଚାରମାଳ ବନ୍ଧା ୧ଟା ୩୦ରୁ ୩ଟା ୩୦, ସିଂହାସନ ମାଜଣା ୩ଟା ୩୦, ପୁଷ୍ପାଞ୍ଜଳି ୩ଟା ୫୦, ପହଣ୍ଡି ଆରମ୍ଭ ୪ଟା, ପହଣ୍ଡି ଶେଷ ରାତି ୧୦ଟା, ରୁନ୍ଧା ଶେଷ ରାତି ୧୨ଟା ୩୦, ଦଇତାପତି ସର୍ବାଙ୍ଗ ରାତି ୧ଟା, ଶ୍ରୀମୁଖ ଖଣ୍ଡୁଆ ୧ଟା ୧୦, ଚାରମାଳ ଫିଟା ୧ଟା ୧୫ରୁ ୨ଟା ୧୫, ସୁଦର୍ଶନ ସିଂହାସନକୁ ବିଜେ ୨ଟା ୩୦, ଶ୍ରୀମୁଖ ଖଣ୍ଡିଆ ମଇଲମ ୨ଟା ୩୦, ଚକା ପୋଛା ୨ଟା ୪୫, ସିଂହାସନ ଧୁଆ ୩ଟା, ମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ ୩ଟା ୧୦, ମହାସ୍ନାନ ଶେଷ ୩ ଟା ୩୦, ରୋଷହୋମ ୩ଟା ୩୫, ମଇଲମ ୩ଟା ୩୫, ଚନ୍ଦନଲାଗି ୩ଟା ୪୫, ସୂର୍ଯ୍ୟପୂଜା ୪ଟା, ଦ୍ୱାରପାଳ ପୂଜା ୪ଟା ୧୫, ବଡ଼ସିଂହାର ବେଶ ୪ଟା ୧୫, ବଡ଼ସିଂହାର ଭୋଗ ୪ଟା ୪୫ ଏବଂ ରାତ୍ର ପହୁଡ଼ ଭୋର ୫ଟାରେ କରାଯିବ।