କୋରାପୁଟରେ କରୋନା: ଆଜି ୬ ଯୋଦ୍ଧାଙ୍କ ସମେତ ୪୯ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉନି। ଶନିବାର ପୁଣି ଜିଲାରୁ ୬ କରୋନା ଯୋଦ୍ଧାଙ୍କ ସମେତ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲାରେ କରୋନା ରୋଗୀ ଓ ପରିବାରକୁ ସହାୟତା ଦେବା ପାଇଁ ଜିଲାର ସଦରମହକୁମାରେ ପ୍ରୋଜେକ୍ଟ ସନ୍ଦେଶ ସେଲ୍‌ ଖୋଲାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି ା ସେହିପରି ସିଡିଏମ୍‌ଓ କାର୍ଯ୍ୟାଳୟରେ ଏକ ସହାୟତା କେନ୍ଦ୍ର ଖୋଲାଯିବ। ତାହା ଜରିଆରେ ଲୋକେ କରୋନା ନମୁନା ପରୀକ୍ଷଣର ଫଳାଫଳ ଓ ରୋଗୀମାନଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଅଭିଯୋଗ କରିପାରିବେ। ପରବର୍ତ୍ତୀ ସମୟରେ ଏହି ଅଭିଯୋଗର ସମାଧାନ କରାଯାଇପାରିବ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଟିଏମ୍‌ସିରୁ ଜଣେ, ୪୭ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଓ ଜଣେ ଏସ୍‌ଏଲଏନ୍‌ଏମସିଏଚ୍‌ରେ ଚିକିତ୍ସାଧୀନ ଥିବା ବେଳେ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟଙ୍କ ମଧ୍ୟରେ ୨୯ ପୁରୁଷ ଓ ୨୦ ମହିଳା ରହିଛନ୍ତି। ସେହିପରି ୪ ସ୍ବାସ୍ଥ୍ୟ କର୍ମଚାରୀ ଓ ୨ ପୋଲିସ କର୍ମଚାରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ଜଣେ ରାଜସ୍ତାନ ଫେରନ୍ତା ଓ ଜଣେ ଭୁବେନେଶ୍ୱର ଫେରନ୍ତା ରହିଥିବା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।ସେହିପରି ଚିହ୍ନଟଙ୍କ ମଧ୍ୟରେ ଜୟପୁର ମ୍ୟୁନିସିପାଲିଟି ଅଞ୍ଚଳରୁ ୨୩, ବନ୍ଧୁଗାଁ ବ୍ଲକରୁ ୮, ଜୟପୁର ବ୍ଲକରୁ ୨, ବୋରିଗୁମ୍ମା ବ୍ଲକରୁ ଜଣେ, କୋରାପୁଟ ମ୍ୟୁନିସିପାଲିଟି ଅଞ୍ଚଳରୁ ୫, ସୁନାବେଡ଼ା ମ୍ୟୁନିସିପାଲିଟିରୁ ଜଣେ, କୋରାପୁଟ ୩, କୋଟପାଡ଼ ୩, ଲକ୍ଷ୍ମୀପୁର, ପଟ୍ଟାଙ୍ଗି ଏବଂ କୁନ୍ଦ୍ରା ବ୍ଲକରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।