ବର୍ଷକୁ ଦେଶର ୧.୩୫ ନିୟୁତ ଜୀବନ ନେଉଛି ତମାଖୁ

ଭୁବନେଶ୍ୱର,୨।୬ (ବ୍ୟୁରୋ): ତମାଖୁ ସେବନ ସମାଜରେ ଏକ ବ୍ୟାଧିର ରୂପ ନେଇଛି। ଏହାର ସେବନ ଯୋଗୁ ପ୍ରତିବର୍ଷ ଭାରତରେ ୧.୩୫ ନିୟୁତ ଲୋକଙ୍କ ଜୀବନ ଯାଉଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଯୋଗୁ ୧.୨ ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ଭାରତରେ କ୍ୟାନ୍‌ସର ଜନିତ ମୃତ୍ୟୁର ୨୭% କେବଳ ତମାଖୁ ସେବନ ଯୋଗୁ ହୋଇଥାଏ। ଏଭଳି ବିପଦରୁ ରକ୍ଷା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସବୁଠାରୁ ବଡ଼ ପଦକ୍ଷେପ ଭାବେ ଉଭା ହୋଇଛି ବୋଲି ବିଶ୍ୱ ତମାଖୁ ବର୍ଜନ ଦିବସରେ ମତ ପ୍ରକାଶ ପାଇଛି।
ପିପୁଲସ କଲ୍‌ଚରାଲ ସେଣ୍ଟର (ପିକକ), ରୟାଲ କଲେଜ ଅଫ ସାଇନ୍ସ ଓ ଟେକ୍ନୋଲୋଜି ଭୁବନେଶର ଏବଂ କୋଆଲିସନ ଫର ଟବାକୋ ଫ୍ରି ଓଡିଶା ପକ୍ଷରୁ କଲେଜ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା। ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୋଟପା ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଯୁବଗୋଷ୍ଠୀଙ୍କୁ ତମାଖୁମୁକ୍ତ ସମାଜ ଗଠନ ପାଇଁ ଉତ୍ସାହିତ କରିଥିଲେ। ଯୁବଗୋଷ୍ଠୀ ସଚେତନ ହେଲେ ତମାଖୁ ସେବନକୁ ରୋକାଯାଇ ପାରିବ ବୋଲି ସେ ମତ ଦେଇଥିଲେ। ରୟାଲ କଲେଜ ଅଧ୍ୟକ୍ଷ ବିଷ୍ଣୁ ମୋହନ ମହାନ୍ତି ମଧ୍ୟ ଯୁବଗୋଷ୍ଠୀଙ୍କୁ ତମାଖୁ ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ତମାଖୁ ମୁକ୍ତ ସମାଜ ଗଠନରେ ଛାତ୍ର ଓ ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଂଯୋଜକ ସତ୍ୟଶିବ ରଥ ତମାଖୁ ସେବନ ଓ ଏଥିଜନିତ ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ଅବଗତ କରାଇଥିଲେ। ପିକକ୍‌ର ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ, ହରିହର ବଳବନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କମିଶନରେଟ ପୋଲିସ ଓ ପିକକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟ୍ରାଫିକ ଛାତ୍ର ଓ ଯୁବସ୍ବେଚ୍ଛାସେବୀମାନେ ବିଶ୍ୱ ତମାଖୁ ଦିବସର ବିଭିନ୍ନ ବାର୍ତ୍ତା ଥିବା ଟି-ସାର୍ଟ ପରିଧାନ କରି ଟ୍ରାଫିକ ପରିଚାଳନା କରିଥିଲେ। ପିକକର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଯୁବଗୋଷ୍ଠୀ, ମହିଳା ଓ ପିଲାଙ୍କ ଦ୍ୱାରା ସଚେତନତା ରାଲି, ବାର୍ତ୍ତା, ସଭା ଆଦିର ଆୟୋଜନ କରଯାଇଥିଲା।