ତୋ ନା ରେ ମୋର ହଁ

ଚଳିତ ବର୍ଷର ନୂଆ ଓଡ଼ିଆ ସିନେମା ତାଲିକାରେ ଆଉ ଏକ ଟାଇଟଲ ସାମିଲ ହୋଇଛି। ତାହା ହେଲା ‘ତୋ ନା ରେ ମୋର ହଁ’। ଜୋକର ପ୍ଲସ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ମହୁରତ ନିକଟରେ ଅନୁଷ୍ଠିତ ହେବା ସହ ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଚିତ୍ରଟିର ପ୍ରଯୋଜନା କରିଛନ୍ତି ଅମୂଲ୍ୟ କୁମାର ଦାସ ଏବଂ ବୃନ୍ଦାବନ ଗୁରୁ। ଏହାର ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ଆଗଧାଡ଼ିର ନିର୍ଦ୍ଦେଶକ ସୁଧାଂଶୁ ସାହୁ। ସୁଜାତା ଦାସଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଡ. ଦୀପକ ଜେନା। ଗୀତଗୁଡ଼ିକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମଦାର। ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହେଉଛି। ଉକ୍ତ ସିନେମାର ନାୟକ ସାଜିଛନ୍ତି ସମ୍ବିତ ଏବଂ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ରିୟା ଏବଂ କାବ୍ୟା କିରଣ। ଏମାନଙ୍କ ବ୍ୟତୀତ ମହାଶ୍ୱେତା ରାୟ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ଅସୀତ ପତି, ସୋମା ଭୌମିକ, ଅମର ମହାପାତ୍ର, ଅନୁପ ସାହା, ଶୀଲା ତ୍ରିପାଠୀ ଏବଂ ଜ୍ଞାନ ପ୍ରମୁଖ କଳକାରଙ୍କୁ ଦେଖିବାକୁ ମିଳିବ।

Share