ଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣ

ସଇଁତଳା,୨୯ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଛନଛଡ଼ା-ପେଣ୍ଡରାମାଲ ରାସ୍ତାରେ ଥିବା ଲାନ୍ଥ ନଦୀ ଉପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣର ଅବଧି ଇତିମଧ୍ୟରେ ଶେଷ ହୋଇଛି। ହେଲେ ଦଶଭାଗରୁ ଏକଭାଗ ମଧ୍ୟ କାମ ସରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପୋଲ ନିର୍ମାଣ ହେଲେ ପାଟଣାଗଡ଼, ବେଲପଡ଼ା, ଟିକ୍ରାପଡ଼ା, କଣ୍ଟାବାଞ୍ଜି ଆଦି ସ୍ଥାନକୁ ୩୦ରୁ ୪୦ କିମି ଏବଂ ଟିଟିଲାଗଡ଼ ଉପଖଣ୍ଡକୁ ୩୦ କିମି ଦୂରତ୍ୱ ହ୍ରାସ ପାଇବ ବୋଲି ଅଞ୍ଚଳବାସୀ ଯେଉଁ ଆଶାପୋଷଣ କରିଥିଲେ ତାହା ସାକାର ହୋଇ ପାରିନାହିଁ।
୪ବର୍ଷ ତଳେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ କରମତଲା ଓ ଧରବଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ବ୍ରିଜ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ୧୨କୋଟି ୬୬ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ୨୦୨୨ ଏପ୍ରିଲ ୨୯ରେ କାମ ଆରମ୍ଭ ହୋଇ ତା୨୮ା୧୦ା୨୦୨୩ରିଖରେ କାର୍ଯ୍ୟ ସମାପ୍ତ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ଏହି ପୋଲ କାମ ଶ୍ରୀଶ୍ୟାମଜୀ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ଉପରେ ନ୍ୟସ୍ତ ରହିଛି। ଗତ କିଛି ମାସ ହେବ ଠିକାସଂସ୍ଥା କାମ ବନ୍ଦ ରଖିଥିବାବେଳେ ବିଭାଗୀୟ ଯନ୍ତ୍ରୀମାନଙ୍କର ଦେଖାନାହିଁ। କାର୍ଯ୍ୟ ସମାପ୍ତି ଅବଧି ସରିଯାଇଥିଲେ ମଧ୍ୟ ଦଶ ଭାଗରୁ ଏକ ଭାଗ କାମ ସମାପ୍ତ ହୋଇନାହିଁ। ଯାହାବି କାମ ହୋଇଛି ତାହା ନିମ୍ନମାନର। ଦୁଇଟି ପିଲାର ଗୋଟିଏ ପଟକୁ ଢ଼ଳି ଯାଇଥିବା ସାଧାରଣରେ ଅଭିଯୋଗ ହେଉଛି। ଠିକାସଂସ୍ଥାର ଜନୈକ କର୍ମଚାରୀଙ୍କୁ ପଚାରିବାରୁ ଅଭିଜ୍ଞ ପାଣି ବୁଡ଼ାଳୀ ମିଳିପାରୁ ନ ଥିବାରୁ କାମ ବନ୍ଦ ହୋଇ ପଡ଼ି ରହିଛି। ସେହିପରି ଧରବଗଡ଼ର ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ଡା ତୁରନ୍ତ କାମ ଆରମ୍ଭ କରି ଆସନ୍ତା ବର୍ଷ ବର୍ଷା ପୂର୍ବରୁ ସମାପ୍ତ କରିବାକୁ ଦାବି କରିଛନ୍ତି। ପୋଲ କାମ ତୁରନ୍ତ ଆରମ୍ଭ କରା ନ ଗଲେ ଛନଛଡ଼ା ଓ ଧରବଗଡ଼ ପଞ୍ଚାୟତ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।