ଅବଧି ସରିଲା, ସରିଲାନି ରାସ୍ତା କାମ

ବାରିପଦା ଅଫିସ,୨୬।୬: ଅବଧି ସରିବାର ୯ ମାସ ବିତିଲାଣି ହେଲେ ରାସ୍ତା କାମ ସରୁନି। ଠିକାଦାର କାମ ଛାଡ଼ି ଚାଲି ଯାଇ ଥିବାରୁ ଏହା ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୨ଟି ଗ୍ରାମର ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅନ୍ତର୍ଗତ କୁଚେଇଠାରୁ ସାଲଗଡ଼ିଆ ରାସ୍ତା କାମରେ ଏହି ଭଳି ସମସ୍ୟା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉକ୍ତ ୧ କିଲୋମିଟର ରାସ୍ତା ପାଇଁ ୩୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୯ ମାର୍ଚ୍ଚ ୨ରେ କାମ ଆରମ୍ଭ ହୋଇ ସେହି ବର୍ଷ ସେପ୍ଟେମ୍ବର ୧ରେ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ଥିଲା। ତେବେ ଅବଧି ସରିବାର ୯ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। କେବଳ ମୋରମ ପଡ଼ିବାରେ କାର୍ଯ୍ୟ ସୀମିତ ରହିଛି। ଉକ୍ତ ରାସ୍ତା ଉପରେ କୁଚେଇ ଓ ସାଲଗଡିଆ ଗ୍ରାମବାସୀ ନିର୍ଭର କରୁଛନ୍ତି। ବର୍ତ୍ତମାନ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ଉକ୍ତ ରାସ୍ତା କର୍ଦ୍ଦମାକ୍ତ ହୋଇ ପଡ଼ିଛି। ବର୍ଷା ଋତୁରେ ଆଉ କାମ କରାଯିବାର ସମ୍ଭାବନା ନ ଥିବାରୁ ଆଗାମୀ ଦିନରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସାଲଗଡ଼ିଆ ଗ୍ରାମର ସୁବାଷ ମଙ୍ଗଳ କହିଛନ୍ତି। ଠିକାଦାର ରାସ୍ତା କାର୍ଯ୍ୟ ଅଧାପନ୍ତରିଆ କରି ଛାଡ଼ି ପଳାଇ ଯାଇଥିବାରୁ ୨ ଗ୍ରାମର ଲୋକେ ଦୁର୍ଦ୍ଦଶା ଭୋଗୁଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏନ୍‌.ଭି. ହରିହର ରାଓଙ୍କୁ ପଚାରିବାରୁ କ’ଣ ପାଇଁ କାମ ଅଟକିଛି ତାହା ବୁଝିକି କହିବେ ବୋଲି ପ୍ରକାଶ କରିଥିଲେ। ତେବେ ଠିକାଦାରଙ୍କ ମନମାନି ଯୋଗୁଁ ଗ୍ରାମବାସୀ ହଇରାଣ ହେଉଥିବା ବେଳେ ବିଭାଗ ପାଖରେ ଖବର ନ ଥିବା ଘଟଣା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।