ନୂଆପଡ଼ା,୨୫।୮(ମକାରୁ ବେମାଲ): ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟରେ କିଛି ମାସ ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ବାଘ ୨ଟି ଛେଳିକୁ ଖାଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶନିବାର ଅପରାହ୍ନରେ ବୋଡେନ ବ୍ଲକ ନାଗପଡା ପଞ୍ଚାୟତ ଖୋଲିଭିତର ଗଁାର କେତେଜଣ ଲୋକ ଜଙ୍ଗଲକୁ ଛେଳି ଚରାଇବାକୁ ନେଇଥିଲେ। ସେହି ସମୟରେ ହଠାତ୍ ଜଙ୍ଗଲରୁ ଏକ କଲରାପତରିଆ ବାଘ ଆସି ଚରୁଥିବା ଛେଳି ଉପରେ ଝାମ୍ପ ମାରିଥିଲା। ବାଘକୁ ଦେଖି ଛେଳି ଚରାଳିମାନେ ଭୟରେ ଦୌଡି ପଳାଇଥିଲେ। ଛେଳିଗୁଡ଼ିକ ମଧ୍ୟ ଏଣେତେଣେ ଦୌଡ଼ିଥିଲେ। ହେଲେ ଗୋଟିଏ ଛେଳିକୁ ବାଘ ଝାମ୍ପି ନେଇ ଶିକାର କରିଥିଲା। ଉକ୍ତ ଛେଳିଟି ଖୋଲିଭିତର ଗଁାର ଜୟସିଂ ଚିନ୍ଦାଙ୍କର ବୋଲି ଜଣାପଡ଼ିଛି। ସେହିପରି କୋମନା ବ୍ଲକ ସୋସେଙ୍ଗ ପଞ୍ଚାୟତ ରୁପିଆମ ଗଁାର କେତେଜଣ ଜଙ୍ଗଲକୁ ଛେଳି ଚରାଇବା ପାଇଁ ନେଇଥିଲେ। କମଳ ମାଝିଙ୍କ ଏକ ଛେଳିକୁ ବାଘ ଟେକି ନେଇ ଆହାର କରିଥିଲା। ୨ଟି ଛେଳିକୁ ବାଘ ଶିକାର କରିବା ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକେ ଓ ପାହାଡ ତଳି ଗଁାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପାହାଡ ତଳି ଗଁାମାନଙ୍କର ଲୋକେ ସବୁବେଳେ ଦଳ ଦଳ ହୋଇ ଯିବାଆସିବା କରୁଛନ୍ତି। ଖବରପାଇ ସୁନାବେଡା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ କୋମନା ବନ ବିଭାଗ କର୍ମଚାରୀ ରବିବାର ଘଟଣାସ୍ଥଳରେ ପହଞ୍ଚତ୍ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ଏ ସଂକ୍ରାନ୍ତରେ ବନ୍ୟପ୍ରାଣୀ ବିଭାଗ ଏସିଏଫ୍ ସଞ୍ଜୀବ ବନଗୋଳାଙ୍କୁ ପଚାରିବାରୁ ସୁନାବେଡା ଅଭୟାରଣ୍ୟ ଭିତରେ ବାଘ ଆତଙ୍କ ଲାଗି ରହିଥିବା କହିଥିଲେ।


