ପୁଣି ମଇଁଷି ମାରିଲା ବାଘ: ଗ୍ରାମବାସୀ ଆତଙ୍କିତ

କେନ୍ଦୁଝର/ଘଟଗାଁ,୭ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘଟଗାଁ  ରେଞ୍ଜ୍‌ ଅଟେଇ ସଂରକ୍ଷିତ ଜଙ୍ଗଲ ମେଲାଣ ପାଲମଣି ସାହିରେ ବାଘ ପୁଣି ମଇଁଷି ମାରିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ମୃତ ମଇଁଷି ମାଲିକଙ୍କୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ତଦନ୍ତ ପରେ ମଇଁଷି ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରେଞ୍ଜ୍‌ ଅଧିକାରୀ ପ୍ରଭାତ କୁଅଁର କହିଛନ୍ତି।
ଗ୍ରାମ ନିକଟରେ ବାଘ ବୁଲୁଥିବା ଖବର ପ୍ରଚାର ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ସୂଚନା ଅନୁଯାୟୀ, ସାହିର କୁତୁଲୁ ମୁଣ୍ଡାଙ୍କ ୮ଟି ମଇଁଷି ସକାଳେ ଜଙ୍ଗଲରେ ଚରିବୁଲି ଘରକୁ ଫେରିବା ପରେ ଏକ ମଇଁଷି ଖଣ୍ଡିଆଖାବରା ହୋଇଥିବା କୁତୁଲୁ ଦେଖିଥିଲେ। ତେବେ ପୂର୍ବାହ୍ନ ପ୍ରାୟ ୧୧ଟାରେ ସେହି ମଇଁଷିର ମୃତ୍ୟୁ ହୋଇଥିଲା। ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ଦାବିକରି ମାଲିକ ଓ ଗ୍ରାମବସୀ କ୍ଷତିପୂରଣ ପାଇଁ ଅଡ଼ିବସିଥିଲେ। ଉକ୍ତ ଅଟେଇ ଜଙ୍ଗଲରେ ମାସେ ତଳେ ଏକ ମହାବଳ ବାଘ ବୁଲୁଥିବା ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବନ ବିଭାଗ ବାଘ ଓ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଆସୁଛି। ତେବେ କିଛିଦିନ ତଳେ ତିନୋଟି ମଇଁଷିର ମୃତଦେହ ଜଙ୍ଗଲରୁ ମିଳିବା ପରେ ପୁଣି ବାଘ ଆକ୍ରମଣ ଚର୍ଚ୍ଚାର ବିଷୟ ହୋଇଥିଲା। ବାଘ କାମୁଡ଼ାରେ ନା ଆଉ କିଏ ମାରିଥିବା ନେଇ ସ୍ଥାନୀୟ ଲୋକେ ଆଶଙ୍କାରେ ଥିବାବେଳେ ଏଭଳି ଆଉ ଏକ ମଇଁଷିର ମୃତ୍ୟୁ ଚିନ୍ତା ବଢ଼ାଇଦେଇଛି। ତେବେ ଜଙ୍ଗଲକୁ ଗୃହପାଳିତ ପ୍ରାଣୀ ନ ଛାଡ଼ିବାକୁ ବିଭାଗ ବାରମ୍ବାର ତାଗିଦ୍‌ କରୁଥିଲେ ହେଁ ସ୍ଥାନୀୟ ଲୋକେ ଛାଡୁଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।