ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ରସୌଲୀ ରେଲୱେ ଷ୍ଟେଶନରେ ଅଯୋଧ୍ୟା-ଲକ୍ଷ୍ନୌ ଟ୍ରେନରେ ଚେକିଂ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ଟିଟିଇ, ଚେକିଂ ଅଧିକାରୀ ଓ ରେଲୱେ ପୋଲିସ ଫୋର୍ସକୁ ଦେଖିବା ମାତ୍ରେ ଅନେକ ବିନା ଟିକେଟ୍ ଯାତ୍ରୀ ଭୟରେ ଚଳନ୍ତା ଟ୍ରେନରୁ ଡେଇଁ ପଳାଇଥିବା ଅଭିଯୋଗ ହୋଇଛି । ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଏହି ଦୃଶ୍ୟକୁ ମୋବାଇଲ୍ କ୍ୟାମେରାରେ ରେକର୍ଡ କରିଥିଲେ। ଚେକିଂରୁ ବଞ୍ଚିବା ପାଇଁ କିଛି ଯାତ୍ରୀ ଟ୍ରେନର ଟଏଲେଟ୍ ଭିତରେ ଲୁଚିଥିବା ବେଳେ ଅନ୍ୟ କିଛି ଯାତ୍ରୀ ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନରୁ ଡେଇଁଥିବା ଭିଡିଓରେ ଦେଖାଯାଉଛି । କେତେକ ଯାତ୍ରୀ ଡେଇଁବା ସମୟରେ ତଳେ ପଡ଼ିଯାଇଥିବା ମଧ୍ୟ ଦେଖାଯାଇଛି।
ରସୌଲୀ ଷ୍ଟେଶନରେ ରେଲୱେ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଚେକିଂ ଅଭିଯାନରେ ମୋଟ ୩୭୧ ଜଣ ବିନା ଟିକେଟ୍ ଯାତ୍ରୀ ଧରାପଡ଼ିଥିବା ଜଣାପଡ଼ିଛି । ପରେ ସମସ୍ତଙ୍କୁ ଲକ୍ଷ୍ନୌ ନିଆଯାଇଥିଲା। ଟ୍ରେନରେ ହଠାତ୍ ଚେକିଂ ଆରମ୍ଭ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଓ ଦୌଡ଼ାଦୌଡ଼ି ଦେଖାଦେଇଥିଲା। ଭାଇରାଲ୍ ଭିଡିଓରେ କିଛି ଯାତ୍ରୀ ପ୍ଲାଟଫର୍ମ ଆଡ଼କୁ ଡେଇଁଥିବା ବେଳେ ଆଉ କିଛି ଯାତ୍ରୀ ରେଳ ଧାରଣା ଆଡ଼କୁ ଚଳନ୍ତା ଟ୍ରେନରୁ ଡେଇଁଥିବା ଦେଖାଯାଇଛି। ଏହି ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।
ଏହା ପୂର୍ବରୁ ଉତ୍ତରପ୍ରଦେଶର ମଥୁରାରେ ଜଣେ GRP ହେଡ୍ କନଷ୍ଟେବଳ ଚଳନ୍ତା ଟ୍ରେନରୁ ଘୋଷଡ଼ି ହେଉଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ । ଟ୍ରେନରେ ଚଢ଼ିବା ସମୟରେ ଯାତ୍ରୀଙ୍କ ଗୋଡ଼ ଖସିଯିବାରୁ ସେ ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଘୋଷଡ଼ି ହୋଇଯାଇଥିଲେ । ଡ୍ୟୁଟିରେ ଥିବା GRP ହେଡ୍ କନଷ୍ଟେବଳ ତୁରନ୍ତ ଦୌଡ଼ି ଯାଇ ତାଙ୍କ ଜୀବନ ବଞ୍ଚାଇଥିଲେ ।