ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ ପରଲୋକ ଘଟିଛି। ରାତ୍ରିକାଳୀନ ଜରୁରୀ ଚିକିତ୍ସାରେ ଚରମ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଗତ ୨୨ ତାରିଖ ରାତି ପ୍ରାୟ ୧ଟା ୫୨ ମିନିଟ୍‌ରେ ଏସ୍‌ଆଇ  ଖୋସ୍ଲା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସହକର୍ମୀମାନେ ତୁରନ୍ତ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ (CHC) ଆଣିଥିଲେ। ମାତ୍ର ସେହି ସମୟରେ ମେଡିକାଲରେ ରାତ୍ରି ଡ୍ୟୁଟିରେ ଥିବା ଡାକ୍ତର ପ୍ରକାଶ କୁମାର ସାହୁ, ଷ୍ଟାଫ୍ ନର୍ସ ଚିନ୍ମୟ ଜେନା ଓ ଭୂମିସୁତା ନାଏକ ଜରୁରୀକାଳୀନ କକ୍ଷରେ ଉପସ୍ଥିତ ନଥିଲେ। ସମସ୍ତେ ନିଜ ନିଜ ସରକାରୀ କ୍ୱାର୍ଟର୍ସରେ ଶୋଇଥିବାରୁ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଡାକିବାକୁ ଯାଇଥିଲେ। କର୍ମଚାରୀମାନେ ଜଣ ଜଣ ହୋଇ ମେଡିକାଲ ଆସିବା ବେଳକୁ ବେଶ୍ ବିଳମ୍ବ ହୋଇସାରିଥିଲା ଏବଂ ଚିକିତ୍ସା ଆରମ୍ଭ ପୂର୍ବରୁ ହିଁ ଖୋସ୍ଲାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ଦାୟିତ୍ୱହୀନତା ବିରୋଧରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ଶବ ବ୍ୟବଚ୍ଛେଦ ପରେ ମୃତଦେହ ଥାନା ପରିସରକୁ ଅଣାଯାଇଥିଲା। ଜିଲା ପୋଲିସ ଡିଏସ୍‌ପି ହାଡ଼ିବନ୍ଧୁ ବାତ୍ରା ଓ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଓ ଆଇଆରବିଏନ୍ (IRBN) ଫୋର୍ସ ଉପସ୍ଥିତ ରହି ସ୍ୱର୍ଗତ ଖୋସ୍ଲାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ‘ଗାର୍ଡ ଅଫ୍ ଅନର’ ପ୍ରଦାନ ସହ ଅଶ୍ରୁଳ ବିଦାୟ ଦେଇଥିଲେ। ୧୯୭୦ ମସିହାରେ କୋରାପୁଟ ଜିଲା କାକ୍ରୀଗୁମା ଥାନା ଅଧୀନ କେଲର ଗ୍ରାମରେ ଜନ୍ମିତ ଖୋସ୍ଲା ଏଠାରେ ୧ ବର୍ଷ ୬ ମାସ ହେବ କାର୍ଯ୍ୟ କରୁଥିଲେ। ଥାନା ପକ୍ଷରୁ ଶୋକସନ୍ତପ୍ତ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନଗଦ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ‘ମହାପ୍ରୟାଣ’ ଗାଡ଼ି ଯୋଗେ ମୃତଦେହକୁ ତାଙ୍କ ନିଜ ଗାଁକୁ ପଠାଯାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ୟୁଡି କେସ୍ ନଂ ୦୪/୨୬) ରୁଜୁ ହୋଇଛି।

Dharitri – Odisha’s No.1 Odia Daily

Share