Categories: ଖେଳ

ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ, ୨୪।୨: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୭୧ ରନ କରିଥିଲା। ଜବାବରେ ମୁମ୍ବାଇ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରି ନେଇଥିଲା। ଶେଷ ବଲ୍‌ରୁ ବିଜୟ ପାଇଁ ୫ ରନ ଆବଶ୍ୟକ ହେଉଥିବାବେଳେ ସଜିଭାନ ସଜନା ଏହାକୁ ଛକାରେ ପରିଣତ କରି ଉତ୍କଣ୍ଠାର ଅବସାନ ଘଟାଇଥିଲେ। ୟସ୍ତିକା ଭାଟିଆ ଦଳ ପକ୍ଷରୁ ସର୍ବାଧିକ ୫୭ ରନ କରିଥିଲେ ହେଁ ୩୪ ବଲ୍‌ରୁ ୫୫ ରନ କରିଥିବା ଅଧିନାୟିକା ହରମନପ୍ରୀତ କୌର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ଓ ଆଲିସ କାପ୍‌ସେ ୨ଟି ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କ୍ୟାପିଟାଲ୍ସ ମାତ୍ର ୩ ରନରେ ଓପନର ଶେଫାଳି ବର୍ମାଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ଅଧିନାୟିକା ମେଗ୍‌ ଲାନିଂ ଓ ଆଲିସ କାପ୍‌ସେ ଦ୍ୱିତୀୟ ଉଇକେଟରେ ୬୪ ରନର ଭାଗୀଦାରି ଗଢ଼ି ଇନିଂସ ସମ୍ଭାଳିଥିଲେ। ଲାନିଂ ୨୫ ବଲ୍‌ରୁ ୩୧ ରନକରି ଆଉଟ ହୋଇଯାଇଥିବାବେଳେ କାପ୍‌ସେ ତୃତୀୟ ଉଇକେଟରେ ଜେମିମା ରୋଡ୍ରିଗ୍ବେଜଙ୍କ ସହ ୭୪ (୪୦ ବଲ୍‌) ରନର ପାର୍ଟନରଶିପ୍‌ କରି ଦିଲ୍ଲୀକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଦେଇଥିଲେ। କାପ୍‌ସେ ଦଳ ପକ୍ଷରୁ ସର୍ବାଧିକ ୭୫ (୫୩ ବଲ, ୮ ଚୌକା, ୩ ଛକା) ଓ ରୋଡ୍ରିଗ୍ବେଜ ୪୨ ରନ ସ୍କୋର କରିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ନାଟ୍‌ ସ୍କିଭର-ବ୍ରଣ୍ଟ ଓ ଆମେଲିକା କେର ୨ଟି ଲେଖାଏ ଏବଂ ଶବନିମ ଇସମାଇଲ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୭୧/୫ (ଆଲିସ କାପ୍‌ସେ-୭୫, ଜେମିମା ରୋଡ୍ରିଗ୍ବେଜ-୪୨, ନାଟ ସ୍କିଭର ବ୍ରଣ୍ଟ-୨/୩୩, ଆମେଲିକା କେର-୨/୪୩, ଶବନିମ ଇସମାଇଲ-୧/୨୪)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୩/୬ (ୟସ୍ତିକା ଭାଟିଆ-୫୭, ହରମନପ୍ରୀତ କୌର-୫୫, ଅରୁନ୍ଧତୀ ରେଡ୍ଡୀ-୨/୨୭, ଆଲିସ କାପ୍‌ସେ-୨/୨୩, ମାରିଜାନେ କାପ୍‌-୧/୩୨, ଶିଖା ପାଣ୍ଡେ-୧/୩୨)।

Share