ତେହରାନ୍,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। ପୁଣି ଯୁଦ୍ଧ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଧମକ ଦେଉଥିବାରୁ ଏହା ବନ୍ଦ ନ କରିବା ପର୍ଯ୍ୟନ୍ତ ଶାନ୍ତି ଆଲୋଚନା ହେବ ନାହିଁ ବୋଲି ଇରାନ କହିଛି। ଖାମେନେଇଙ୍କ ସପ୍ତାହବ୍ୟାପୀ ଅନ୍ତିମ ସଂସ୍କାର ବେଳେ ଅନେକ ଲକ୍ଷ ଇରାନୀୟ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି।
କାତାରର ତରଳୀକୃତ ପ୍ରକୃତିକ ଗ୍ୟାସ୍ (ଏଲ୍ଏନ୍ଜି) ଟ୍ୟାଙ୍କର ଅଲ୍ ରେକାୟାତ୍ ଉପରେ ସୋମବାର ରାତିରେ ଆକ୍ରମଣ ହେବାରୁ ଏହାର ଇଞ୍ଜିନ୍ ପ୍ରକୋଷ୍ଠରେ ନିଆଁ ଲାଗିଯାଇଛି। ସାଉଦି ଆରବର ଏକ ଅଶୋଧିତ ତୈଳ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହାଇଥିବା ସାମୁଦ୍ରିକ ସୁରକ୍ଷା ସୂତ୍ରରୁ କୁହାଯାଇଛି। ଅଲ୍ ରେକାୟାତ୍ ଜାହାଜ ଉପର ଡ୍ରୋନ୍ ଆକ୍ରମଣ ହୋଇଥିବାରୁ ଏହା ବିପଦରେ ଥିବା ନେଇ ବାର୍ତ୍ତା ପଠାଇଥିଲା। ଇଞ୍ଜିନ୍ ପ୍ରକୋଷ୍ଠରେ ନିଆଁ ଲାଗି ଧୂଆଁମୟ ହୋଇଯାଇଛି ଓ ଅଧିକ କ୍ଷୟକ୍ଷତି ଆକଳନ କରାଯାଇପାରୁ ନାହଁ ବୋଲି ଜାହାଜର କ୍ୟାପ୍ଟେନ ବାର୍ତ୍ତା ପଠାଇଥିଲେ। ଜାହାଜର ନାବିକମାନେ ସୁରକ୍ଷିତ ଥ୍ତ୍ବାବେଳେ ଇଞ୍ଜିନ୍ ଓ ଷ୍ଟିୟରିଂ କାମ କରୁ ନ ଥିବାରୁ ସେ ସହାୟତା ମାଗିଥିଲେ। ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ତେବେ ଇରାନ ୨ଟି ଜାହାଜ ଉପରେ ଆକ୍ରମଣ କରିଥିବା ନ୍ୟୁଜ୍ ଓ୍ବେବ୍ସାଇଟ୍ ଆକ୍ସିଓସ୍ ରିପୋର୍ଟ କରିଛି। ଏହା ଉପରେ ତେହରାନ୍ କିମ୍ବା ଓ୍ବାଶିିଂଟନ ପକ୍ଷରୁ ସିଧାସଳଖ କିଛି କୁହାଯାଇ ନାହିଁ।
ଓ ଇସ୍ରାଏଲ୍ ଗତ ଫେବୃଆରୀ ୨୮ରେ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହର୍ମୁଜ୍ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ବୁଝାମଣାପତ୍ର ସ୍ବାକ୍ଷର ପରେ ହର୍ମୁଜ୍ ଜଳପଥ ସ୍ବାଭାବିକ ହୋଇଥିବା ଆମେରିକା ଦାବି କରିଥିବାବେଳେ ଏହା ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ଖୋଲି ନ ଥିବା କୁହାଯାଉଛି।