ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଦଣ୍ଡାସିଂହା ଲୁହୁରାସାହିର ଜୟରାମ ଲୁହୁରାଙ୍କ ପୁଅ କାଳିଆ (୩), ଯୋଗେଶ୍ୱର ଲୁହୁରାଙ୍କ ପୁଅ ବଳିଆ (୧୨) ଏବଂ ଅଫିନ ଲୁହୁରାଙ୍କ ପୁଅ ବିବେକ (୮) ଗାଁ ଦାଣ୍ଡରେ ପଡ଼ିଥିବା ଏକ ଅଫୁଟା ବାଣରେ ନିଆଁ ଲଗାଉଥିଲେ। ଏହି ସମୟରେ ବାଣଟି ହଠାତ୍ ବିସ୍ଫୋରିତ ହେବାରୁ କାଳିଆ, ବଳିଆ ଓ ବିବେକ ଆହତ ହୋଇଥିଲେ। ପରିବାର ଲୋକ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତୁରନ୍ତ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର କାଳିଆ ଅଧିକ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ବଳିଆ ଓ ବିବେକ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

