ତେଲ୍‌ ନଦୀରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା

ନବରଙ୍ଗପୁର,୬ା୮(ବି.ପ୍ର.) : ଗୁରୁବାର ତେଲ ନଦୀରେ ବୁଡ଼ି ତିନି ଶିଶୁଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଏବଂ ଦୁଇ ଶିଶୁକନ୍ୟା ରହିଥିବାବେଳେ ସମସ୍ତେ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ କୋଟାଲଡିଗି ଗ୍ରାମରେ। ଉକ୍ତ ଗ୍ରାମର ଅମି ସାନ୍ତାଙ୍କ ୬ ବର୍ଷର ଝିଅ ରଶ୍ମିତା, ରଘୁରାମ ସାନ୍ତାଙ୍କ ୫ ବର୍ଷର ଝିଅ ଶାନ୍ତି ଏବଂ ବୁଦ୍ଧୁ ସାନ୍ତାଙ୍କ ୪ ବର୍ଷର ପୁଅ ଦଶରଥ ସାଙ୍ଗ ହୋଇ ଆଜି ସକାଳେ ଗ୍ରାମ ନିକଟ ଦେଇ ଯାଇଥିବା ତେଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍‌ ଗଭୀର ପାଣିକୁ ପଶି ଯାଇଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଉମରକୋଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ମୃତଦେହଗୁଡ଼ିିକୁ ଉଦ୍ଧାର କରି ନିକଟସ୍ଥ ତୋହରା ଡାକ୍ତରଖାନାକୁ ନେଇଥିବା ଜଣାପଡ଼ିଛି। ଅସାବଧାନତା ଯୋଗୁ ଏଭଳି ଏକ ଦୁର୍ଘଟଣା ଘଟିଥିବାରୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।