ଋଷିକୂଲ୍ୟାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀ ପୂର୍ଣ୍ଣ ପ୍ରତାପୁର ଋଷିକୂଲ୍ୟାର ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହା ବାରୁଣୀ ସ୍ନାନ ଅବସରରେ ହଜାର ହଜାର ଭକ୍ତ ବୁଡ଼ ପକାଇଛନ୍ତି। ଏହା ସହ ପିତୃପୁରୁଷଙ୍କ ଲାଗି ଶ୍ରାଦ୍ଧ କରିବା ସହ ମୃତ ବ୍ୟକ୍ତିଙ୍କ ଅସ୍ତିକୁ ବିସର୍ଜନ କରିଛନ୍ତି।

କିମ୍ବଦନ୍ତୀ ଅନୁଯାୟୀ, ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ବନବାସରେ ଥିବା ବେଳେ ପ୍ରତାପୁର ଋଷିକୂଲ୍ୟା ନଦୀ ଘାଟରେ ବାବା ତୁମ୍ବେଶ୍ବରଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ପିତା ଦଶରଥଙ୍କ ମୃତ୍ୟୁ ଖବର ପାଇ ପିତାଙ୍କ ଉଦ୍ଦେଶ୍ୟରେ ବାଲୁକା ପିଣ୍ଡକୁ ଦାନ କରିଥିଲେ। ସେହିଦିନଠାରୁ ଏଠାରେ ବାରୁଣୀ ସ୍ନାନ ହେଉଛି। ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ ଶ୍ରଦ୍ଧାଳୁମାନେ ଅସ୍ତି ବିସର୍ଜନ କରି ବୁଡ଼ ପକାଇଥାନ୍ତି। ଏଠାରେ ବିସର୍ଜନ କଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ସକାଳୁ ବାବା ତୁମ୍ବେଶ୍ବର, ଜଗନ୍ନାଥ, ରଘୁନାଥ, ଲକ୍ଷ୍ମୀ ନାରାୟଣ ଓ ତାରାତାରିଣୀଙ୍କୁ ପରମ୍ପରା ଅନୁସାରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିନଦୀ ଘାଟ ବୁଡ଼ କ୍ଷେତ୍ରକୁ ଆଣାଯାଇଥିଲା। ଏଠାରେ ମହାମିଳନ ହେବା ପରେ ବୁଡ଼ ଆରମ୍ଭ ହୋଇଥିଲା।