ଚଳିତ ବର୍ଷ ମାତ୍ର ହଜାରେ ତୀର୍ଥଯାତ୍ରୀ କରିପାରିବେ ହଜ୍‌ଯାତ୍ରା

ରିୟାଦ,୨୧।୭: ସାଉଦି ଆରବର ମକ୍କା ସହରକୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ହଜ୍‌ଯାତ୍ରା ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରାର ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଜୁଲାଇ ୨୯ରୁ ଆରମ୍ଭ ହେବାକୁ ଥିବା ହଜ୍‌ଯାତ୍ରାରେ ମାତ୍ର ହଜାରେ ତୀର୍ଥଯାତ୍ରୀ ସାମିଲ ହୋଇପାରିବେ। ଏଥିସହ ନୂଆ ନିୟମ ଅନୁସାରେ ୬୫ବର୍ଷରୁ କମ୍‌ ବୟସ୍କ ଏବଂ କୌଣସି ଗୁରୁତର ରୋଗରେ ପୀଡ଼ିତ ନ ଥିବା ବ୍ୟକ୍ତିଙ୍କୁ ହିଁ ଏହି ଯାତ୍ରା ପାଇଁ ଅନୁମତି ଦିଆଯିବ। ଏନେଇ ସାଉଦି ଆରବ ସରକାର ଘୋଷଣା କରିଛନ୍ତି। ସେହିପରି ତୀର୍ଥଯାତ୍ରୀଙ୍କ ମଧ୍ୟରେ କେବଳ ସାଉଦି ଆରବର ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିଁ ରହିବେ। ଚଳିତ ବର୍ଷ ଅନ୍ୟ ଦେଶର ଲୋକଙ୍କୁ ଏହି ଯାତ୍ରା ପାଇଁ ବାରଣ କରାଯାଇଛି। ତେବେ ଦେଶରେ ପୂର୍ବରୁ ରହୁଥିବା ବିଭିନ୍ନ ଦେଶର ମୁସଲମାନଙ୍କୁ ଏହି ଯାତ୍ରା ପାଇଁ ଅନୁମତି ଦିଆଯାଇଥିବା ସୂଚନା ରହିଛି।

Share