Categories: ଖେଳ

ନେଟ୍ସରେ ବ୍ୟାଟିଂ କଲେ ଏହି ଦୁଇ ଭାରତୀୟ କ୍ରିକେଟର୍‌

ଗାଜିଆବାଦ, ୧୪।୭- କରୋନା ଭାଇରସ୍‌ ଲାଗି ଦୀର୍ଘ ଦିନ ଧରି ବିଶ୍ରାମ ନେବା ପରେ ଦୁଇ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଯୁବ ଉଇକେଟ୍‌କିପର ରିଷଭ ପନ୍ତ ଏକାଠି ଟ୍ରେନିଂ ଆରମ୍ଭ କରିଛନ୍ତି। ଉଭୟ ସମସ୍ତ ସତର୍କତାକୁ ଅବଲମ୍ବନ କରି ଉତ୍ତର ପ୍ରଦେଶର ଗାଜିଆବାଦର ଏକ ଗ୍ରାଉଣ୍ଡରେ ନେଟ୍ସ କରିଛନ୍ତି। ନେଟ୍ସରେ ବ୍ୟାଟିଂ କରୁଥିବାର ଏକ ଭିଡିଓକୁ ରାଇନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସହ ରିଷଭ ପନ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ତଳେ ରାଇନା ଏକ କ୍ୟାପସନ ଲେଖିଛନ୍ତି, ଏଥିରେ ସେ ଉଲ୍ଲେଖ କରିଛନ୍ତି, ‘କଠିନ ପରିଶ୍ରମ କର, କଦାପି ଛାଡ଼ ନାହିଁ ଏବଂ ପୁରସ୍କୃତ ହୁଅ।’ ୨୦୧୧ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ୩୩ ବର୍ଷୀୟ ରାଇନା ଶେଷଥର ପାଇଁ ୨୦୧୮ରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଦଳ ପକ୍ଷରୁ ସେ ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୬୮, ୫୬୧୫ ଓ ୧୬୦୫ ରନ ସଂଗ୍ରହ କରିଛନ୍ତି। ଟେଷ୍ଟ ଓ ଟି୨୦ରେ ଗୋଟିଏ ଲେଖାଏ ସହ ଦିନିକିଆରେ ରାଇନା ୫ଟି ଶତକ ମାରିଛନ୍ତି। ଅପରପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ୨୨ ବର୍ଷୀୟ ପନ୍ତ ଭାରତର ପ୍ରଥମ ପସନ୍ଦର ଉଇକେଟ୍‌କିପର ରହିଛନ୍ତି। କିନ୍ତୁ ଖରାପ ଫର୍ମ ଲାଗି ତାଙ୍କୁ ଚଳିତ ବର୍ଷ ପ୍ରାରମ୍ଭରେ ବେଶ୍‌ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

Share