ଭୁବନେଶ୍ୱର,୫।୧୧: ଦଶନ୍ଧି ଧରି ‘ସ୍ୱଚ୍ଛ ଭାରତ ମିଶନ’ ଅଭିଯାନ ଚାଲିଥିଲେ ମଧ୍ୟ ସହରୀ ପରିମଳ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଥିବା ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫’ ରିପୋର୍ଟରୁ ଜଣାପଡ଼ିଛି। ଜନସଂଖ୍ୟା ଏକ ମିଲିୟନରୁ ଅଧିକ ଥିବା ସହରଗୁଡ଼ିକ ମଧ୍ୟରେ ତାମିଲନାଡୁର ସହରଗୁଡ଼ିକ ସର୍ବାଧିକ ଅପରିଷ୍କାର ତାଲିକାରେ ସ୍ଥାନ ପାଇଛନ୍ତି।
ସବିଶେଷ ରିପୋର୍ଟ ଅନୁଯାୟୀ ତାମିଲନାଡୁର ପ୍ରଦର୍ଶନ ବିଶେଷ ଚିନ୍ତାଜନକ ରହିଛି। ତାଲିକାରେ ମାଦୁରାଇ ୪,୮୨୩ ସ୍କୋର ସହ ଅପରିଷ୍କାର ସହର ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ରହିଛି। ରାଜ୍ୟ ରାଜଧାନୀ ଚେନ୍ନାଇ ମଧ୍ୟ ୬,୮୨୨ ସ୍କୋର ସହ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ, ଦୁର୍ବଳ ପରିମଳ ନିୟମ, ନାଗରିକଙ୍କ ଅସହଯୋଗ ଏବଂ ଭିତ୍ତିଭୂମିଗତ ତ୍ରୁଟି ଯୋଗୁଁ ତାମିଲନାଡୁର ସହରଗୁଡ଼ିକ ତଳକୁ ଖସି ଆସିଛନ୍ତି।
ଦେଶର ବୈଷୟିକ ରାଜଧାନୀ ଭାବେ ପରିଚିତ ବେଙ୍ଗାଲୁରୁ ୬,୮୪୨ ସ୍କୋର ସହ ଦେଶର ପଞ୍ଚମ ଅପରିଷ୍କାର ସହର ଭାବେ ପରିଗଣିତ ହୋଇଛି। ଅନିୟନ୍ତ୍ରିତ ସମ୍ପ୍ରସାରଣ ଏବଂ ଅସଙ୍ଗଠିତ ବର୍ଜ୍ୟବସ୍ତୁ ପରିଚାଳନା ହେତୁ ସହରର ଏହି ଦୁର୍ବଳ ପ୍ରଦର୍ଶନ ବୋଲି ରିପୋର୍ଟରେ କୁହାଯାଇଛି।
ଭାରତର ଶୀର୍ଷ ୧୦ ଅପରିଷ୍କାର ସହର (୧ ମିଲିୟନରୁ ଊର୍ଦ୍ଧ୍ୱ ଜନସଂଖ୍ୟା)
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫ ରିପୋର୍ଟ ଅନୁଯାୟୀ ଶୀର୍ଷ ୧୦ ଅପରିଷ୍କାର ସହରଗୁଡ଼ିକ ହେଲେ:
ମଦୁରାଇ – ୪,୮୨୩
ଲୁଧିଆନା – ୫,୨୭୨
ଚେନ୍ନାଇ – ୬,୮୨୨
ରାଞ୍ଚି – ୬,୮୩୫
ବେଙ୍ଗାଲୁରୁ – ୬,୮୪୨
ଧନବାଦ – ୭,୧୯୬
ଫରିଦାବାଦ – ୭,୩୨୯
ମୁମ୍ବାଇ – ୭,୪୧୯
ଶ୍ରୀନଗର – ୭,୪୮୮
ଦିଲ୍ଲୀ – ୭,୯୨୦
ଏହି ରିପୋର୍ଟରେ ଇନ୍ଦୋର, ସୁରଟ ଏବଂ ନଭି ମୁମ୍ବାଇ ପୂର୍ବପରି ଦେଶର ସବୁଠୁ ପରିଷ୍କାର ସହର ଭାବେ ସେମାନଙ୍କ ସ୍ଥାନ ବଜାୟ ରଖି ସୁପର ସ୍ୱଚ୍ଛ ଲିଗ୍ ରେ ସ୍ଥାନିତ ହୋଇଛନ୍ତି।

