Categories: ଖେଳ

ସଚିନ କ୍ରିକେଟ୍‌ରେ ଏତେ ବଡ଼ ନାମ କରିବେ ବୋଲି ଜାଣି ନ ଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୪।୭- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପାକିସ୍ତାନର ମହାନ ଦ୍ରୁତ ବୋଲର ଓ୍ବାକର ୟୁନିସ ଏକାଠି ୧୯୮୯ରେ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ସିରିଜରେ ସେମାନଙ୍କ ଟେଷ୍ଟ ପଦାର୍ପଣ କରିଥିଲେ। ସଚିନଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ହୋଇଥିବାବେଳେ ସେ ଭାରତୀୟ ଦଳ ସହ ପାକିସ୍ତାନ ଗସ୍ତରେ ଯାଇଥିଲେ। ଓ୍ବାକରଙ୍କୁ ମଧ୍ୟ ସେତେବେଳେ ୧୮ ବର୍ଷ ହୋଇଥିଲା। ସେହି ସମୟର ୧୬ ବର୍ଷୀୟ ସଚିନ ଦିନେ ବିଶ୍ୱ କ୍ରିକେଟ୍‌ରେ ଏତେ ବଡ଼ ନାମ କରିବେ ବୋଲି କେବେ ମଧ୍ୟ ଭାବି ନ ଥିବା ଓ୍ବାକର ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ‘ସେତେବେଳେ ସଚିନଙ୍କୁ ନେଇ ପୁରା ଚର୍ଚ୍ଚା ଚାଲିଥାଏ। ଏହି ଛୋଟିଆ ବାଳକ ଚମତ୍କାର ଖେଳୁଛି ଏବଂ ସ୍କୁଲ କ୍ରିକେଟ୍‌ରେ ତ୍ରିଶତକ ମଧ୍ୟ ହାସଲ କରିଛି ବୋଲି ପୂର୍ବରୁ ଶୁଣିଥିଲୁ। ସ୍କୁଲରେ ତ୍ରିଶତକ କିଏ ହାସଲ କରିପାରିବ। ସ୍କୁଲରେ ଶତକ ହାସଲ କରିବା ବଡ଼ କଥା ଥିଲା। ଭାରତୀୟ ଦଳରେ ଏହି ବାଳକ ଆସିଥିବା ଜାଣିବାକୁ ପାଇଥିଲୁ। ପ୍ରଥମଥର ତାଙ୍କୁ ଯେତେବେଳେ ଦେଖିଲି ସେ ମହାନ ସଚିନ ତେନ୍ଦୁଲକର ହେବେ ବୋଲି କେବେ ଭାବି ନ ଥିଲି। ଏତେ ବର୍ଷ ମଧ୍ୟରେ ସେ ଯାହା ହାସଲ କରିଛନ୍ତି ତାହା ଚମତ୍କାର। କିନ୍ତୁ ସେହି ସମୟରେ ମୋତେ ଲାଗି ନ ଥିଲା ଯେ ସଚିନ କ୍ରିକେଟ୍‌ରେ ଏତେ ବଡ଼ ନାମ କରିବେ। ତାଙ୍କର କଠିନ ପରିଶ୍ରମ ଯୋଗୁ ସଚିନ ଏତେବଡ଼ ସଫଳତା ପାଇଛନ୍ତି’ ବୋଲି ୪୮ ବର୍ଷୀୟ ଓ୍ବାକର ୟୁନିସ କହିଛନ୍ତି। ସଚିନଙ୍କୁ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉଟ୍‌ କରିବାରେ ୟୁନିସ ବିଶ୍ୱର ପ୍ରଥମ ବୋଲର ଥିଲେ। ପାକିସ୍ତାନ ଦଳରେ ସେତେବେଳେ ଓ୍ବାସିମ ଆକ୍ରମ, ଇମ୍ରାନ ଖାନ୍‌ ଓ ଯୁବ ଓ୍ବାକରଙ୍କ ପରି ଶ୍ରେଷ୍ଠ ଦ୍ରୁତ ବୋଲର ରହିଥିଲେ ମଧ୍ୟ ସଚିନ ଏହି ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ। ସିରିଜରେ ସେ ଯଥାକ୍ରମେ ୧୫, ୫୯, ୮, ୪୧, ୩୫, ୫୭ ରନର ଉପଯୋଗୀ ଇନିଂସ ଖେଳିଥିଲେ।

Share