Categories: ଖେଳ

କୋଚ୍‌ଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୨।୭- ଜିମ୍ବାଓ୍ବେର ପୂର୍ବତନ କ୍ରିକେଟର୍‌ ଗ୍ରାଣ୍ଟ ପ୍ଲାଓ୍ବାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନ ଜାତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ରହିଥିଲେ। ଏହି ସମୟ ମଧ୍ୟରେ ଘଟିଯାଇଥିବା ଏମିତି ଏକ ଘଟଣାକୁ ଫ୍ଲାଓ୍ବାର ଏବେ ସାମ୍ନାକୁ ଆଣିଛନ୍ତି, ଯାହାକୁ ଶୁଣିଲେ ସହଜେ ବିଶ୍ୱାସ କରିହେବ ନାହିଁ। ‘ପୂର୍ବତନ ଅଧିନାୟକ ୟୁନିସ ଖାନ୍‌ଙ୍କୁ ଦିନେ କିଛି ବ୍ୟାଟିଂ ଟିପ୍ସ ଦେଉଥିବାବେଳେ ହଠାତ୍‌ ସେ ରାଗିଯାଇ ମୋ ବେକରେ ଛୁରୀ ଲଗାଇ ଦେଇଥିଲେ’ ବୋଲି ଫ୍ଲାଓ୍ବାର ଦାବି କରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଅବସରରେ ଯେତେବେଳେ ଫ୍ଲାଓ୍ବାରଙ୍କୁ ପଚରା ଯାଇଥିଲା କି ତୁମ କୋଚିଂ କ୍ୟାରିୟରରେ କେଉଁ କଷ୍ଟଦାୟକ ଖେଳାଳିଙ୍କ ସମ୍ମୁଖୀନ ହୋଇଥିଲେ। ଏହାର ଉତ୍ତରରେ ୟୁନିସ ଖାନଙ୍କ ନାମ ନେଇଥିଲେ ଫ୍ଲାଓ୍ବାର। ‘ବ୍ରିସବେନର ଗୋଟିଏ ଘଟଣା ମୋର ମନେ ରହିଛି। ସେଠାରେ ଖେଳାଯାଉଥିବା ଏକ ଟେଷ୍ଟ ମ୍ୟାଚ୍‌ର ସକାଳ ଟିଫିନ ସମୟରେ ମୁଁ ତାଙ୍କୁ (ୟୁନିସ) କିଛି ବ୍ୟାଟିଂ ଟିପ୍ସ ଦେବାକୁ ଚେଷ୍ଟା କରୁଥିଲି। କିନ୍ତୁ ମୋ ଉପଦେଶ ତାଙ୍କୁ ଭଲ ଲାଗି ନ ଥିଲା ଏବଂ ସେ ଏକ ଛୁରୀ ମୋ ବେକ ପାଖକୁ ଆଣିଥିଲେ। ସେଠାରେ ମୁଖ୍ୟକୋଚ୍‌ ମିକି ଆର୍ଥର ବସିଥିଲେ। ସେତେବେଳେ ତାଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା’ ବୋଲି ୪୯ ବର୍ଷୀୟ ଫ୍ଲାଓ୍ବାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଥିଲା। କିନ୍ତୁ କୋଚିଂ କ୍ୟାରିୟରର ଏକ ଅଂଶ। ଯାହାକି ଏହି ଯାତ୍ରାକୁ ଆହୁରି କଠିନ କରିଥାଏ। ମୁଁ ପ୍ରକୃତରେ କୋଚିଂକୁ ଉପଭୋଗ କରିଛି। ମୋତେ ଆହୁରି କିଛି ଶିଖିବାକୁ ବାକି ରହିଛି। ଆଜି ଯେଉଁସ୍ତରରେ ପହଞ୍ଚତ୍ଛି ସେଥିଲାଗି ଭାଗ୍ୟବାନ ମନେ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୬ରେ ପାକିସ୍ତାନ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ସେତେବେଳେ ପ୍ରଥମ ଟେଷ୍ଟ ବ୍ରିସବେନରେ ଖେଳିଥିଲା। ସେହି ସମୟରେ ଏହି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ମ୍ୟାଚ୍‌ର ପ୍ରଥମ ଇନିଂସରେ ୟୁନୁସ ୦ ଓ ଦ୍ୱିତୀୟ ଇନିଂସରେ ୬୫ ରନ ସଂଗ୍ରହ କରିଥିଲେ। ସେହିଭଳି ସିରିଜର ଅନ୍ତିମ ମ୍ୟାଚ୍‌ରେ ୟୁନିସ ୧୭୫ ରନର ଅପରାଜିତ ଇନିଂସ ମଧ୍ୟ ଖେଳିବାରେ ସଫଳ ହୋଇଥିଲେ। ଗ୍ରାଣ୍ଟ ଫ୍ଲାଓ୍ବାର ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ଦାୟିତ୍ୱ ତୁଲାଉଛନ୍ତି।

Share