Categories: ଫୁରସତ

କଣ୍ଟାରେ ସୁଷମା

ବଙ୍ଗଳା ଭାଷାରେ ଗୀତଟିଏ ଅଛି ‘କାକଟସ୍‌ ତୁମେ କାନ୍ଦନା ଯୀଶୁର ମୁକୁଟେ କଣ୍ଟା’। ଅର୍ଥାତ୍‌ ତାକୁ ଏମିତି କହିହେବ ଯେ କଣ୍ଟା ଅଛି ତ ଇଶ୍ୱରୀୟତା ଅଛି। କଷ୍ଟ ଥିଲେ କୃଷ୍ଣ ମିଳେ ଏକଥା ଆମେ ପିଲାବେଳୁ ଶୁଣିଆସିଛୁ। ଆଉ ଭୋଗି ଆସିଛୁ ଜୀବନରେ। କାକଟସ୍‌ ବୋଧେ ଠିକ୍‌ ଏଇଆ କୁହେ, ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ହେଲେ କଣ୍ଟାର ଯନ୍ତ୍ରଣା ସହିବାକୁ ପଡିବ। ସତରେ ତାକୁ ଛୁଇଁଲେ ସିନା ଯନ୍ତ୍ରଣା ହେବ କିନ୍ତୁ ଦେଖିଦେଲେ ତ ମନ ପୁରିଯିବ। ପ୍ରକୃତରେ କାକଟସ୍‌ ଏମିତି ଗୋଟେ ଉଦ୍ଭିଦ ଯେ ଜୀବନର ସକରାତ୍ମକତା ଆଡକୁ ଆମକୁ ବାଟ କଢେଇ ନିଏ କାହିଁକି ନା ସେ ମରୁଭୂମିରେ ରହି ବି ଅନ୍ୟକୁ ଜଳର ସନ୍ଧାନ ଦିଏ। କଣ୍ଟାଯୁକ୍ତ ରହି ମଧ୍ୟ ସୌନ୍ଦର୍ଯ୍ୟ ବାଣ୍ଟୁଥାଏ। ସେଥିପାଇଁ ସେ କଣ୍ଟାଯୁକ୍ତ ହେଲେ ବି ତା ପ୍ରେମରେ ପଡି ସମସ୍ତେ ତାକୁ ଖୋଜି ଲୋଡି ଘରକୁ ଆଣନ୍ତି। ପ୍ରକାରଭେଦ ଅନେକ। ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ପ୍ରକାରର କାକଟସ୍‌। ଉଦ୍ୟାନବିତ୍ତ ଓ ପରିବେଶବିତ୍ତମାନେ ଏହାର ଲୋକପ୍ରିୟତା ଦେଖି ପୋଲିନେସନ୍‌ ଏବଂ ଗ୍ରାପ୍ଟିଙ୍ଗ୍‌ ମାଧ୍ୟମରେ ନୂଆ ପ୍ରକାରର ବ୍ରିଡ୍‌ ସୃଷ୍ଟି କରୁଛନ୍ତି। ସବୁଠୁ କମ୍‌ ଯତ୍ନର ଆବଶ୍ୟକତା ପଡୁଥିବା ଏହି କାକଟସ୍‌ ତାର ସୌନ୍ଦର୍ଯ୍ୟରେ ବାନ୍ଧି ପାରିଛି ସମସ୍ତଙ୍କୁ।

କାକଟସ୍‌ ମାୟାରେ ଡା. ଦେବାଶିଷ: ପେଶାରେ ଡାକ୍ତର କିନ୍ତୁ ନିଶା ତାଙ୍କର କେବଳ ଗଛ ଲଗାଇ ତାର ଯତ୍ନ ନେବା। ତାଙ୍କ ପାଇଁ ଖୁସି ସେଇଠି, ତାଙ୍କ ଗଛ ଯେଉଁଠି। ଯେମିତି ସମର୍ପିତ ସେ ଡାକ୍ତରୀ ପେଶା ପ୍ରତି ସେମିତି ସମର୍ପିତ ଗଛ ପାଇଁ। ଗଛ କେବଳ ତାଙ୍କର ଅବସରର ସାଥୀ ନୁହେଁ ଗଛ ତାଙ୍କ ଖୁସିର କାରଣ ମଧ୍ୟ। ଗଛକୁ ତାଙ୍କ ଜୀବନର ଗୋଟିଏ ଅଂଶ ଭାବୁଥିବା ଡାକ୍ତର ଦେବାଶିଷ ପ୍ରଧାନ ଖୁବ୍‌ ଛୋଟବେଳୁ ଗଛକୁ ଭଲପାଇ ବସନ୍ତି। ତୃତୀୟ ଶ୍ରେଣୀରେ ପଢିବା ବେଳେ ନାଲକୋରେ ହେଉଥିବା ଫ୍ଲାଓ୍ବର୍‌ ଏକ୍‌ଜିବେସନ୍‌ରେ ପେଣ୍ଟିଙ୍ଗ୍‌ କମ୍ପିଟିସନ୍‌ ହୁଏ। ଆଉ ସେହି ପ୍ରତିଯୋଗିତାରେ ଭାଗ ନେବାକୁ ଯାଆନ୍ତି ଦେବାଶିଷ। ସେଠାରେ ଏତେ ସୁନ୍ଦର ସୁନ୍ଦର ଗଛକୁ ଦେଖି ତାଙ୍କର ବି ଇଛା ହୁଏ ଗଛ ଲଗାଇବାକୁ। ସେହିଦିନ ଠାରୁ ସେ ଯାହା ଗଛ ପାଆନ୍ତି ଆଣି ଘରେ ଲଗାନ୍ତି। ଏମିତିକି ବରଗଛ, ଓସ୍ତଗଛ ଆଦି ଘରେ ଆଣି କୁଣ୍ଡରେ ଲଗାନ୍ତି। ଅନ୍ୟମାନେ ଭାବନ୍ତି ସେ ବୋନସାଇ କରିଛନ୍ତି ବୋଲି। କିନ୍ତୁ ସେତେବେଳେ ସେ ବୁଝି ନ ଥିଲେ ଯେ, ବୋନ୍‌ସାଇ ପ୍ରକୃତରେ କ’ଣ। ଏମିତି ସେ ସ୍କୁଲ୍‌ ଶେଷ ଯାଏଁ ଯେତେବେଳେ ଯାହା ନୂଆଗଛ ଦେଖନ୍ତି ଆଣି ଲଗାନ୍ତି। କିନ୍ତୁ ଦଶମ ପରେ ଯେତେବେଳେ ଭୁବନେଶ୍ୱର ଆସି ବିଜେବି କଲେଜରେ ପଢିଲେ ସେତେବେଳେ ସେ ଗୋଟେ ଗୋଟେ ପ୍ରଜାତିର ଗଛ ସଂଗ୍ରହ କରିବାକୁ ଲାଗିଲେ। ପ୍ରଥମେ ସେ ଫାଇକସ(ଏକପ୍ରକାରର ବରଗଛ) ପ୍ରଜାତିର ୪୦ଟି ଭେରାଇଟି ସଂଗ୍ରହ କଲେ। ସେଇ ଆରମ୍ଭ ଏବେ ସରିବାର ଆଉ ନାଁ ନେଉ ନାହିଁ ବରଂ ବଢି ବଢି ଚାଲିଛି। ଏବେ ତାଙ୍କ ପାଖରେ ୧୦୦ରୁ ଉର୍ଦ୍ଧ ସ୍ନେକ୍‌ ପ୍ଲାଣ୍ଟ, ୪୦ରୁ ଉର୍ଦ୍ଧ ସାଇକସ୍‌, ୩୦୦ରୁ ଉର୍ଦ୍ଧ ବୋନସାଇ, ୫୦ପାଖାପାଖି ପାମ୍‌ ସହିତ ପ୍ରାୟ ୬୦ପ୍ରକାରର କାକଟସ୍‌ ଓ ଅନ୍ୟାନ୍ୟ ଗଛ ରହିଛି। ତେବେ କାକଟସ୍‌ ପ୍ରତି ଡାକ୍ତର ପ୍ରଧାନଙ୍କର ରହିଛି ଖୁବ୍‌ ଭଲପାଇବା। ଆଜିକାଲି କିଛି ଲୋକ ବାସ୍ତୁର ନାଁ ନେଇ ଘରେ କାକଟସ୍‌ ରଖିବାକୁ ପସନ୍ଦ କରୁନଥିବା ବେଳେ, ସେ କିନ୍ତୁ ଏହାକୁ ସଂପୂର୍ଣ୍ଣ ଭୂଲ ବୋଲି କୁହନ୍ତି। ତାଙ୍କ ମତରେ ‘କଣ୍ଟାଗଛଟିକୁ ଘର ଭିତରେ ରଖିଲେ ଅସାବଧାନତା ବଶତଃ କଣ୍ଟା ଫୋଡି ହୋଇଯିବାର ଭୟ ରହିଛି ଆଉ ଏହାହିଁ ଏକମାତ୍ର କାରଣ। ନଚେତ୍‌ ଗଛ କ’ଣ କାହାର କ୍ଷତି କରିପାରେ। ସବୁଠୁ କମ୍‌ ଯତ୍ନ ଆବଶ୍ୟକ କରୁଥିବା ଆକର୍ଷଣୀୟ ଗଛ ହେଉଛି କାକଟସ୍‌। ଏଥିରେ ୧୫-୨୦ଦିନ ପାଣି ନଦେଲେ ବି ଚିନ୍ତା ନାହିଁ। କାକଟସ୍‌ ପାଇଁ ମୁଁ ସିନ୍‌ଡର ସଏଲ୍‌ ବ୍ୟବହାର କରେ। ବାଲିରେ ବି ଏହା ଖୁବ୍‌ ଭଲ ବଢେ। ତେବେ ଗ୍ରାଫ୍‌ଟିଙ୍ଗ କରାଯାଇଥିବା କିଛି କାକଟସ୍‌ ଆମ ଜଳବାୟୁରେ ଭଲ ବଢନ୍ତିନି କି ଏମାନଙ୍କର ଚେର ସହଜରେ ଆସେ ନାହିଁ। ଧଳା ଧଳା ଫଙ୍ଗସ୍‌ ବି ହୋଇଯାଏ। ଏମିତି ହେଉଥିଲେ ତାକୁ ଖରାରେ ରଖି, ସେଥିରେ ନିମ୍‌ ଅୟଲ ସହ ସାମ୍ପୁରେ ପାଣି ମିଶାଇ ସ୍ପ୍ରେ କଲେ ଗଛ ଠିକ୍‌ ହୋଇଯାଏ। ମୁଁ ବିଭିନ୍ନ ଯାଗାରୁ କାକଟସ୍‌ ସଂଗ୍ରହ କରିଛି। କିଛି କାକଟସ୍‌ ଦିଲ୍ଲୀ, ଥାଇଲାଣ୍ଡ, କୋଲକାତା ଓ ଆସାମରୁ ମଗାଇଥିବାବେଳେ କିଛି ଅନଲାଇନ୍‌ରୁ ବି ମଗେଇଛି। ଦିଲ୍ଲୀ ଓ କୋଲକାତାରେ ବହୁତ କାକଟସ୍‌ ସଂଗ୍ରାହକ ଅଛନ୍ତି ସେମାନେ ଗ୍ରାଫ୍‌ଟିଙ୍ଗ୍‌ କରୁଛନ୍ତି। ଯାହା ଆମ ଜଳବାୟୁକୁ ସୁହାଇବ। କଥା ହେଉଛି ବାହାର ଦେଶର କାକଟସ୍‌ ଆମ ଜଳବାୟୁରେ ଭଲ ବଢିପାରେ ନାହିଁ। ଏହାଛଡା ଏମାନେ କାକଟସ୍‌ର ମଞ୍ଜି ସଂଗ୍ରହ କରି ତାକୁ ପୋଲିନେସନ ମାଧ୍ୟମରେ ଭଲ କ୍ୱାଲିଟିର ଓରଜିନାଲ ବ୍ରିଡ୍‌ ବାହାର କରୁଛନ୍ତି। ଥାଇଲାଣ୍ଡ କାକଟସ୍‌ ବହୁତ ଶସ୍ତା ଓ ସୁନ୍ଦର। କିନ୍ତୁ ଏହା ଦୀର୍ଘଦିନ ଧରି ବଞ୍ଚିପାରେ ନାହିଁ। ପ୍ରାୟ ବର୍ଷେ ଭିତରେ ମରିଯାଏ। ମୋର କିନ୍ତୁ ଇଣ୍ଡିଆନ କାକଟସ୍‌ ବେଶୀ ପସନ୍ଦ। ମୋ ମତରେ ଆସାମ କାକଟସ୍‌ ସବୁଠୁ ଭଲ। ଆମ ଜଳବାୟୁରେ ଏମାନେ ଖୁବ୍‌ ଭଲ ବଢନ୍ତି। ମୋ ପାଖରେ ପାଖାପାଖି ୬୦ପ୍ରଜାତିର କାକଟସ୍‌ ଥିଲେ ବି ଯେବେ ବି ନୂଆ ଦେଖେ ମଗାଏ। ମୁଁ ଅଧିକରୁ ଅଧିକ ଗଛ ଲଗାଇବା ସହ ତାଙ୍କ ସହ ସମୟ କାଟିବାକୁ ପସନ୍ଦ କରେ। ତାଙ୍କୁ ଛାଡି କୁଆଡେ ବୁଲିଯିବାକୁ ମୋର ଇଛା ହୁଏନାହିଁ। ଗଛ ପାଇଁ ଦେଉଥିବା ସମୟ, ମୋର ସବୁଠୁ ଭଲ ସମୟ।

ଏକାମ୍ର କାନନରେ କାକ୍‌ଟସ: ଫୁଲର ସୌନ୍ଦର୍ଯ୍ୟରେ ଭରା ଏକାମ୍ର କାନନର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ଏଠାକାର କାକଟସ୍‌ ବଗିଚା। ପାଖାପଖି ୧୩୦ଫୁଟ୍‌ରେ ୧୦୦ଫୁଟ୍‌ ପରିମିତ ଏହି ବଗିଚାରେ ରହିଛି ପୃଥିବୀର ବିଭିନ୍ନ ଦେଶର ବିରଳ ପ୍ରଜାତିର କାକଟସ୍‌। ପ୍ରଥମେ ୧୯୯୦ମସିହାରେ ଏହାର ପ୍ରତିଷ୍ଠାତା ପ୍ରଫେସର ପ୍ରେମାନନ୍ଦ ଦାସ ତାଙ୍କ ନିଜସ୍ବ ଉଦମ୍ୟରେ ଏକାମ୍ର କାନନରେ ଗୋଟେ ଛୋଟ କାକଟସ୍‌ ଉଦ୍ୟାନ କରିଥିଲେ। ୩୦୦ରୁ ୪୦୦ କାକଟସ୍‌ ପ୍ରଜାତିରୁ ଆରମ୍ଭ ହୋଇଥିଲା ଏହି ବଗିଚା। ତା ପରେ ବିଭିନ୍ନ ମରୁସ୍ଥଳୀୟ ବୃକ୍ଷକୁ ଆଣି ଅର୍ଣ୍ଣାମେଣ୍ଟାଲ୍‌ ପ୍ଲାଣ୍ଟ୍‌ ଭାବରେ ତାକୁ ଡେଭଲପ୍‌ କରିବା ପାଇଁ ଗ୍ରାଫଟିଙ୍ଗ୍‌ କରାଗଲା। ଗ୍ରାଫ୍‌ଟିଙ୍ଗ ପାଇଁ ଜଙ୍ଗଲୀ କାକ୍‌ଟସ୍‌ ଦରକାର। ଏଥିପାଇଁ ୨ପ୍ରକାରର ଜଙ୍ଗଲୀ କାକଟସ୍‌ ଯଥା ମାର୍ଟିଲୋ କାକଟସ୍‌ (ଜିଓମାଟ୍ରିଜାନସ୍‌ ପ୍ରଜାତି) ଓ ହାଇଲୋସେରସ୍‌ ଟ୍ରାଙ୍ଗୁଲାରିସ୍‌ ଆଣି ସେଥିରେ ଗ୍ରାଫଟିଙ୍ଗ୍‌ କରାଗଲା। ହାଇଲୋସେରସ୍‌ କାକ୍‌ଟସ୍‌ ସବୁଜାଗାରେ ଉପଲବ୍ଧ। ମାର୍ଟିଲୋ କାକ୍‌ଟସ୍‌ ଖୁବ୍‌ ବଡ଼ ଓ ମୋଟା। ବନ ଗ୍ରାଫ୍‌ଟିଙ୍ଗ ପାଇଁ ଏହି କାକ୍‌ଟସ୍‌ ଆବଶ୍ୟକ। କିନ୍ତୁ ଅର୍ନାମେଣ୍ଟାଲ ପାଇଁ ହାଇଲୋସେରସ୍‌କୁ ବେଶୀ ବ୍ୟବହାର କରାଯାଏ। କିଛି କାକ୍‌ଟସ୍‌ ମ୍ୟୁଟେସନ୍‌ ବ୍ରିଡିଂ ଦ୍ୱାରା ବି ପ୍ରସ୍ତୁତ କରାଯାଇଥିଲା। ସାରା ଭାରତରେ ୧୦୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର କାକ୍‌ଟସ୍‌ ଥିବାବେଳେ ଆମ ପାଖରେ ପାଖାପାଖି ୧୦୦୦ରୁ ଉର୍ଦ୍ଧ୍ୱ ଭେରାଇଟିର କାକ୍‌ଟସ୍‌ ଥିଲା। କିନ୍ତୁ ଏବେ କେତୋଟି ପ୍ରଜାତି ନଷ୍ଟ ହୋଇଯିବା ପରେ ଆମ ପାଖରେ ପ୍ରାୟ ୭୦୦ପ୍ରଜାତିର କାକ୍‌ଟସ୍‌ ଅଛି। ଅର୍ଣ୍ଣାମେଣ୍ଟାଲ କାକଟସ୍‌ରେ ଜିମିନୋକାଲିସମ ମାହିନୋଭିଚାଇ ଅଧିକ ରଙ୍ଗର ଆସେ। ଏହାଛଡା ବ୍ଲସ୍‌ଫେଲ୍ଡିଆ, ଆଷ୍ଟ୍ରୋଫାଇଟମ୍‌, ଆରିଓ କାର୍ପସ୍‌, ଆକାନ୍ଥୋକାଲିସମ୍‌, ବନିନ୍‌ଜିଆ, ବର୍ଜି ଆଦି ବିରଳ ଅର୍ନାମେଣ୍ଟାଲ କାକଟସ୍‌ ଏଠାରେ ରହିଛି। ଜିମିନୋ କାଲିସମ୍‌ ମାଇନୋ ଭୀଚାଇର ଚାହିଦା ସାଧାରଣ ଲୋକଙ୍କ ଭିତରେ ବହୁତ। ଏହାର ଫୁଲ୍‌ ଖୁବ୍‌ ସୁନ୍ଦର। କାକଟସ୍‌ ପାଇଁ ମାଟି, ବାଲି ଓ ଗୋବର ସମ ପରିମାଣରେ ମିଶାଇ ମାଟି ପସ୍ତୁତ କରାଯାଏ। ଓ ଏଥିରେ ୧୫ଦିନରେ ଥରେ ବୁଡେଇକି ପାଣି ଦେବାକୁ ପଡେ। ତଳେ ଛୋଟ ଛୋଟ ଭଙ୍ଗା ଇଟା ଦେଲେ ପାଣି ବାହାରିଯିବାରେ ସୁବିଧା ହୁଏ। କାକ୍‌ଟସ୍‌କୁ ବର୍ଷାରୁ ରକ୍ଷା କରିବା ପାଇଁ ଏକ କମ୍‌ ଉଚ୍ଚତାର ପଲିଶେଡ୍‌ କରାଯାଏ, ଯାହାକି ୟୁଭି ପ୍ରୋଟେକ୍ଟେଡ। ଅତ୍ୟଧିକ ସୂର୍ଯ୍ୟ ରଶ୍ମିରୁ ଗଛକୁ ସୁରକ୍ଷିତ ରଖିବା ପାଇଁ ପଲିଶେଡ ତଳେ ପତଳା ମାଟିର ଲେପ ଦିଆଯାଏ। ଯାହାଫଳରେ ଅତ୍ୟଧିକ ସୂର୍ଯ୍ୟ ଉତ୍ତାପରୁ ବି ଏହା ରକ୍ଷା ପାଏ। ମେରୁ ଜୁନ୍‌ ମାସ ଯାଏ କାକ୍‌ଟସ୍‌ରେ ଅଧିକ ଫୁଲ ହୁଏ। ଏକାମ୍ର କାନନର ଏହି କାକଟସ୍‌ ଗାଡେର୍ନ କେବଳ ସରକାରୀ ଛୁଟିକୁ ବାଦ୍‌ ଦେଲେ ଅନ୍ୟଦିନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହୁଛି।

ଏସିଆର ସବୁଠୁ ବଡ କ୍ୟାକ୍‌ଟସ୍‌ ଗାର୍ଡେନ: ହରିୟାଣା, ଚଣ୍ଡିଗଡର ପଞ୍ଚକୁଲା ସହରରେ ଅଛି ସବୁଠୁ ବଡ଼ କ୍ୟାକ୍‌ଟସ୍‌ ଗାର୍ଡେନ। ଏହା ଦ ନ୍ୟାଶନାଲ କ୍ୟାକଟସ୍‌ ଆଣ୍ଡ ସକ୍ୟୁଲାଣ୍ଟ ବଟାନିକାଲ ଗାର୍ଡେନ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଭାବେ ବେଶ୍‌ ପରିଚିତ। ୭ ଏକରର ବିସ୍ତୃତ ଅଞ୍ଚଳରେ ଏହି କ୍ୟାକ୍‌ଟସ୍‌ ଉଦ୍ୟାନ ରହିଛି। ୨୫୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର କ୍ୟାକ୍‌ଟସ୍‌ ଓ ସେକ୍ୟୁଲାଣ୍ଟ ଏଠାରେ ଦେଖିବାକୁ ମିଳେ। ଏତେ ବଡ ଉଦ୍ୟାନର ବିକାଶ ପଛର ଉଦ୍ଦେଶ୍ୟ ହେଉଛି କ୍ୟାକ୍‌ଟସ୍‌ ଓ ସକୁଲାଣ୍ଟର ବିଲୁପ୍ତ ପ୍ରାୟ ପ୍ରଜାତିର ସଂରକ୍ଷଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା। ଏହି ଉଦ୍ୟାନ ଏସିଆର ସବୁଠାରୁ ବଡ଼ କ୍ୟାକ୍‌ଟସ୍‌ ଓ ସକୁଲାଣ୍ଟ ଉଦ୍ୟାନ ଭାବେ ପରିଚିତ। ଏଠାରେ ଭାରତୀୟ ସକୁଲାଣ୍ଟର ବଡ଼ ସଂଗ୍ରହ ଅଛି, ଯାହା ପୃଥିବୀର ସବୁଠାରୁ ବଡ଼।

ସବୁଠୁ ଉଚ୍ଚା କାକ୍‌ଟସ୍‌: କାକ୍‌ଟସ୍‌ କିନ୍ତୁ ଏହାର ଉଚ୍ଚତା ପୁରା ଗଛ ପରି। ଇଏ ହେଲା ସାଗୁଆରୋ ମୋନୋଟାଇପିକ ଜେନେସର କାକଟସ ପ୍ରଜାତି। ଏହାର ଉଚ୍ଚତା ପ୍ରାୟ ୧୨ ମିଟର (୪୦ ଫୁଟ)ରୁ ଅଧିକ ହୋଇଥାଏ। ଏହା ଆରିଜୋନାରେ ଥିବା ସୋନୋରାନ ମରୁଭୂମି, ମେକ୍ସିକୋର ସୋନୋରା ରାଜ୍ୟ ଏବଂ କାଲିଫର୍ନିଆର ହ୍ବିପଲ ମାଉଣ୍ଟେନ୍ସ ଏବଂ ଇମ୍ପେରିଆଲ କାଉଣ୍ଟି ଅଞ୍ଚଳରେ ଦେଖିବାକୁ ମିଳିଥାଏ। ସାଗୁଆରୋ ଫୁଲ ଆରିଜୋନାର ରାଜ୍ୟ ବନ୍ୟ ଫୁଲର ମାନ୍ୟତା ଲାଭ କରିଛି। ଆରିଜୋନା, ଟ୍ୟୁସନ ନିକଟସ୍ଥ ସାଗୁଆରୋ ଜାତୀୟ ଉଦ୍ୟାନରେ ଏହି ପ୍ରଜାତିକୁ ସୁରକ୍ଷା ଦେବା ପାଇଁ ଘୋଷଣା କରାଯାଇଛି।
ସାଗୁଆରୋର ପ୍ରାୟ ୧୫୦ ବର୍ଷରୁ ଅଧିକ ବର୍ଷ ଜୀବିତ ରହିପାରେ। ସାଗୁଆରୋ ବହୁ ପରିମାଣର ବର୍ଷା ଜଳକୁ ଅବଶୋଷଣ ଏବଂ ସଂରକ୍ଷଣ କରିପାରିବାର କ୍ଷମତା ରଖେ। ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ସଂରକ୍ଷିତ ଜଳକୁ ଧୀରେ ଧୀରେ ଏହା ବ୍ୟବହାର କରିଥାଏ। ଏହି ଗୁଣ ପାଇଁ ସାଗୁଆରୋ ମରୁଡ଼ି ସମୟରେ ମଧ୍ୟ ଜୀବିତ ରହିପାରେ। ଏହା ବହୁ ପ୍ରାଣୀଙ୍କୁ ଖାଦ୍ୟ ଏବଂ ବାସସ୍ଥାନ ଯୋଗାଇଥାଏ।

ସାଗୁଆରୋ ହଜାର ହଜାର ବର୍ଷ ଧରି ମାନବଙ୍କ ପାଇଁ ଖାଦ୍ୟ ଏବଂ ଆଶ୍ରୟସ୍ଥଳୀର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। କାରଣ ଏହା ଶୁଖିଗଲା ପରେ ମରୁଭୂମିରେ ଗରିବ ଲୋକଙ୍କର ଘର ନିର୍ମାଣ ସାମଗ୍ରୀ ଭାବରେ ବ୍ୟବହୃତ ହୋଇଥାଏ। ଏହାର ମିଠା ଲାଲ ରଙ୍ଗର ରସାଳ ଫଳ ଖାଇବାକୁ ବେଶ୍‌ ସୁସ୍ବାଦୁ। ଏହାଛଡା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ନିରାକାରପୁର ଥାନା ଅନ୍ତର୍ଗତ ଓଡିଶାର ପ୍ରମୁଖ ପଯର୍‌ୟଟନସ୍ଥଳୀ ମା ଉଗ୍ରତାରାଙ୍କ ପୀଠକୁ ଯିବା ରାସ୍ତା କଡରେ ରହିଛି ଏମଜିଏମ ଫ୍ଲୋରିକଲଚର୍‌ ଗ୍ରୀନ୍‌ ହାଉସେସ୍‌। ଏହା ପା୍ରୟ ୨୦ ଏକର ପରିମିତ ଯାଗାରେ ରହିଥିବା ବେଳେ ୪ଏକର ଜାଗାରେ ରହିଛି କ୍ୟାକ୍‌ଟସ ନର୍ସରୀ ା ଏଠାରେ ଦେଶୀ, ବିଦେଶୀ ଓ ବିରଳ କାକ୍‌ଟସ୍‌ର ପ୍ରାୟ ୧୨୦ଟି ପ୍ରଜାତି ଏଠାରେ ଦେଖିବାକୁ ମିଳେ ା ଏହା ବାଦ୍‌ ଓଡ଼ିଶାର ଆହୁରି ବି କେଉଁ କେଉଁ ଉଦ୍ୟାନରେ ଓ ଘରୋଇ ଭାବରେ କାକ୍‌ଟସ ଦେଖିବାକୁ ମିଳେ।

କେବେ ଦିନେ ସେ ଥିଲା ମରୁଭୂମିର ଗଛ। କିନ୍ତୁ ତା’ର ସୌନ୍ଦର୍ଯ୍ୟରେ ସମସ୍ତଙ୍କ ମନ କିଣି ନେଇଛି। ଯେଉଁଥିପାଇଁ ଏବେ ପ୍ରତି ଘରେ ଘରେ ତାକୁ ଦେଖିବାକୁ ମିଳୁଛି।

Share