Categories: Home Leftଖେଳ

ୱେଷ୍ଟଇଣ୍ଡିଜଠାରୁ ହାରିଲା ଭାରତ, ହେଲେ ନିଜ ନାଁରେ କଲା ଏହି ରେକର୍ଡ

ନୂଆଦିଲ୍ଲୀ, ୧୫।୧୦: ହାଇଦ୍ରାବାଦରେ ଭାରତକୁ ପରାସ୍ତ କରି କେବଳ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜକୁ ୨-୨ରେ ବରାବର କରିନାହିଁ ୱେଷ୍ଟଇଣ୍ଡିଜ। ଏହା ସହ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛି, ଯେଉଁଥିପାଇଁ ଦଳ ପୂର୍ବରୁ ୬ ଥର ବିଫଳ ହୋଇଥିଲା। ଶାଇ ହୋପଙ୍କ ଅପରାଜିତ ଶତକ ଏବଂ କୀମୋ ପଲଙ୍କ ୫ ଉଇକେଟ୍‌ ସଫଳତା ବଳରେ କାରିବୀୟ ଦଳ ଅକ୍ଟୋବର ୧୪ ତାରିଖରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତକୁ ୨୪ ରନରେ ପରାସ୍ତ କରିଛି।

ମ୍ୟାଚ ହାରିଥିଲେ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଲକ୍ଷ୍ୟ ପିଛା କରି ଭାରତ ନିଜର ଦ୍ୱିତୀୟ ସର୍ବାଧିକ ସ୍କୋର୍‌ ରେକର୍ଡ କରିଛି। ଭାରତ ୨୨୩ ରନ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇନଥିଲା।

ଏହି କ୍ଷେତ୍ରରେ ଟିମ ଇଣ୍ଡିଆର ସର୍ବାଧିକ ସ୍କୋର୍‌ ହେଉଛି ୨୪୪/୪। ୨୦୧୬ରେ ଆମେରିକାର ଲଡରହିଲରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଏହି ସ୍କୋର୍‌ କରିଥିଲା। ତେବେ ସେହି ମ୍ୟାଚରେ ଭାରତ ମାତ୍ର ୧ ରନରେ ପରାଜିତ ହୋଇଥିଲା।

ୱେଷ୍ଟଇଣ୍ଡିଜର ବିଜୟର ମୂଳଦୁଆ ରଖିଥିଲେ ଶାଇ ହୋପ। ସେ ମାତ୍ର ୫୦ଟି ବଲରୁ ଅପରାଜିତ ୧୦୨ ରନ କରିଥିଲେ। ତାଙ୍କ ଇନିଂସରେ ୯ଟି ଛକା ଓ ୪ଟି ଚୌକା ସାମିଲ ଥିଲା।

ଅନ୍ୟପକ୍ଷରେ, ଶେରଫେନ ରଦରଫୋର୍ଡ ମଧ୍ୟ ମାତ୍ର ୨୬ଟି ବଲରେ ଅପରାଜିତ ୪୯ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟରୁ ୪ଟି ଚୌକା ଓ ୩ଟି ଛକା ବାହାରିଥିଲା। ସେହିପରି ଶିମରନ ହେଟମାୟର ୩୩ ରନ କରିଥିଲେ। ଏହି ତିନି ଜଣଙ୍କ ଉପଯୋଗୀ ଇନିଂସ ବଳରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ ୨୪୮ ରନର ବିଜୟ ଲକ୍ଷ୍ୟ ରଖିଥିଲା।

 

Dharitri – Odisha’s No.1 Odia Daily

Share