ନୂଆଦିଲ୍ଲୀ,୧୪।୧୦ : କଂଗ୍ରେସ ପକ୍ଷରୁ ଶନିବାର ତେଲଙ୍ଗାନାର ବିଆରଏସ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛ। ରାଜ୍ୟରେ ଜଣେ ୨୩ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କ ସ୍ବପ୍ନ,ଆଶା ଏବଂ ଆକାଂକ୍ଷାର ମୃତ୍ୟୁ। ରାଜ୍ୟରେ ଏଭଳି ବହୁ ଯୁବବର୍ଗଙ୍କ ସ୍ବପ୍ନ ଅକାଳରେ ଝଡି ଯାଉଛି। ଗତ ୧୦ ବର୍ଷ ମଧ୍ୟରେ ଭାଜପାର ସମ୍ପର୍କିୟ କମିଟି ବିଆରଏସ ନିଜର ଅକ୍ଷମତା କାରଣରୁ ରାଜ୍ୟକୁ ନଷ୍ଟ କରିଦେଇଛନ୍ତି।
ସୋସିଆଲ ମିଡିଆରେ ଲେଖାଯାଇଥିବା ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ତେଲଙ୍ଗାନାରେ କଂଗ୍ରେସ ସରକାର ଏକ ଚାକିରି କ୍ୟାଲେଣ୍ଡର ପ୍ରକାଶ କରିବେ ଏବଂ ତେଲେଙ୍ଗାନା ରାଜ୍ୟ ପ୍ରଶାସନିକ ସେବା ଆୟୋଗକୁ କେନ୍ଦ୍ର ଜନସେବା ଆୟୋଗ ଭାବେ ପୁନର୍ଗଠନ କରାଯିବ। ଏହା ସହିତ ଦୁଇ ଲକ୍ଷ ସରକାରୀ ପଦବୀ ସୃଷ୍ଟି ହେବ। ଏକ ବର୍ଷ ମଧ୍ୟରେ ଏହା ସମ୍ପନ୍ନ ହେବ। ନିଯୁକ୍ତି ପ୍ରଦାନ କରାଯିବ । ଏହା କଂଗ୍ରେସର ଏକ ଗ୍ୟାରେଣ୍ଟି ।
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ଦୁଃଖ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ପୋଷ୍ଟରେ ଖାର୍ଗେ ଲେଖିଛନ୍ତି ତେଲଙ୍ଗାନାରେ ଜଣେ ୨୩ ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ନେଇ ମୁଁ ଦୁଃଖିତ। ରିପୋର୍ଟ ଅନୁଯାୟୀ ରାଜ୍ୟ ପ୍ରଶାସନିକ ସେବା ଆୟୋଗର ବାରମ୍ବାର ସ୍ଥଗିତାଦେଶକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଲଙ୍ଗାନାର ହଜାର ହଜାର ଯୁବ ପ୍ରାର୍ଥୀ ନିରାଶ ହୋଇଛନ୍ତି କାରଣ ବିଆରଏସ ସରକାର ପରୀକ୍ଷା ପରିଚାଳନାରେ ଉଦାସୀନତା ଦେଖାଉଛନ୍ତି। ତେଲେଙ୍ଗାନାର ଯୁବବର୍ଗମାନେ ଦୁର୍ନୀତିଗ୍ରସ୍ତ, ଅଯୋଗ୍ୟ ବିଆରଏସ ସରକାରଙ୍କୁ ବହିଷ୍କାର କରିବେ।
ସୂଚନାଯୋଗ୍ୟ, ହାଇଦ୍ରାବାଦର ଅଶୋକ ନଗରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨୩ ବର୍ଷ ବୟସ୍କା ମହିଳା ତାଙ୍କ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ବାବଦରେ ତେଲଙ୍ଗାନାରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି।
ମୃତ ମହିଳାଙ୍କ ନିକଟରୁ ପୋଲିସ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର କରିଛି ଯେଉଁଥିରେ ମହିଳା ଜଣକ ସେମାନଙ୍କ ପାଇଁ କିଛି କରି ନ ଥିବାରୁ ତାଙ୍କ ପିତାମାତାଙ୍କୁ କ୍ଷମା ମାଗିଛନ୍ତି।

