ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ ପିଇବା ପାଣି ଦେଉଛନ୍ତି। କଚ୍ଛର ଗ୍ରେଟ ରାଣା (ଯାହା ଥର୍ ମରୁଭୂମି ସନ୍ନିକଟ ଅଞ୍ଚଳ)ରେ ସେ ଏହି କାର୍ଯ୍ୟ କରୁଛନ୍ତି। ଏହା ସେ ପ୍ରତିବର୍ଷ କରି ଆସୁଛନ୍ତି। ସେଥିପାଇଁ ତାଙ୍କୁ ସେହି ଅଞ୍ଚଳର ଲୋକେ ଶ୍ରଦ୍ଧାରେ ଆମ୍ମା ବୋଲି ଡାକନ୍ତି। ପଥଚାରୀଙ୍କୁ ପିଇବା ପାଣି ଯୋଗାଇବାରେ ତାଙ୍କୁ ତାଙ୍କ ସାନ ପୁଅ ସାହାଯ୍ୟ କରୁଛନ୍ତି। ରାସ୍ତାକଡ଼ରେ ବଡ଼ ବଡ଼ ମାଠିଆରେ ପାଣି ଭରି ସେ ତାଙ୍କ ସାନ ପୁଅ ସହ ଏକ ଅସ୍ଥାୟୀ ଘରେ ଠିଆ ହୋଇଥାନ୍ତି। ସେ ଓ ତାଙ୍କ ପୁଅ ଖରାରୁ ରକ୍ଷା ପାଇଁ ବାଉଁଶ ବାନ୍ଧି ପଲିଥିନରେ ଏହି କୁଡ଼ିଆ କରିଛନ୍ତି। ସେଇଠି ଠିଆ ହୋଇ ମା’ ପୁଅ ତୁଷାର୍ତ୍ତଙ୍କୁ ପାଣି ଯୋଗାଉଛନ୍ତି। ମରୁ ଅଞ୍ଚଳର ଛୋଟିଆ କୁଡ଼ିଆରେ ତାଙ୍କ ଉପସ୍ଥିତି ସମ୍ପର୍କରେ ପ୍ରାୟ ସମସ୍ତ ପଥଚାରୀ ଜାଣନ୍ତି ଏବଂ ସେହିବାଟରେ ଗଲାବେଳେ ଆମ୍ମାଙ୍କ ହାତରୁ ଥଣ୍ଡାପାଣି ପିଇବାକୁ ଭୁଲନ୍ତି ନାହିଁ। ଲୋକେ ପାଣି ପିଇସାରିବା ପରେ ତାଙ୍କୁ ଧନ୍ୟବାଦ ଦେଇ ବିଦାୟ ନିଅନ୍ତି, ଯାହା ସବୁଠୁ ଖୁସିର ମୁହୂର୍ତ୍ତ ବୋଲି ଆମ୍ମା କହନ୍ତି।