Categories: ଖେଳ

ରାଜକୁମାରୀଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୯।୭: ବହୁଚର୍ଚ୍ଚିତ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲରେ ଜଡ଼ିତ ହୋଇ ୭ ବର୍ଷ କାଳ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଭାରତୀୟ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଇତିମଧ୍ୟରେ ସମାପ୍ତ ହୋଇଛି। ଏବେ ସେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଜୋର୍‌ଦାର ଅଭ୍ୟାସ ଜାରି ରଖିଛନ୍ତି। ୨୦୧୩ରେ ହୋଇଥିବା ଏହି ସ୍ପଟ୍‌ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ କିଛିଦିନ ପାଇଁ ଜେଲ୍‌ ଯିବାକୁ ପଡ଼ିଥିଲା। ଯେଉଁ ସମୟରେ ତାଙ୍କ ସ୍ତ୍ରୀ ଭୁବନେଶ୍ୱରୀ କୁମାରୀ ତାଙ୍କୁ ବହୁତ ସହାୟତା କରିଥିଲେ।


ଡିସେମ୍ବରରେ ଭୁବନେଶ୍ୱରୀଙ୍କୁ ବିବାହ କରିଥିବା ଶ୍ରୀସନ୍ଥଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ନିଆରା ଥିଲା। ଶ୍ରୀସନ୍ଥ ଯେଉଁ ସମୟରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ ସେହି ସମୟରେ ଭୁବନେଶ୍ୱରୀ ସ୍କୁଲରେ ପଢ଼ୁଥିଲେ। ଉଭୟ ପରସ୍ପରକୁ ସେହି ସ୍କୁଲରେ ହିଁ ପ୍ରଥମଥର ଦେଖିଥିଲେ, ଯେଉଁଠିକୁ ଶ୍ରୀସନ୍ଥ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବା ଲାଗି ଯାଇଥିଲେ। ଏହି ସାକ୍ଷାତ୍‌କାରକୁ ମନେ ପକାଇ ଭୁବନେଶ୍ୱରୀ କହିଛନ୍ତି, ‘ଯେତେବେଳେ ଶ୍ରୀସନ୍ଥ ମ୍ୟାଚ୍‌ ଖେଳିବାକୁ ଆସିଥିଲେ ସେତେବେଳେ ସ୍କୁଲର ସମସ୍ତ ଝିଅ ତାଙ୍କ ପାଇଁ ପାଗଳ ହୋଇଯାଇଥିଲେ। ତାଙ୍କୁ ଭେଟିବା ଲାଗି ସମସ୍ତେ ଉତ୍ସାହିତ ଥିଲେ। କିନ୍ତୁ ମୋତେ ଏସବୁ ଠିକ୍‌ ଲାଗୁ ନ ଥିଲା। ଏହା ପରଦିନ ଶ୍ରୀସନ୍ଥଙ୍କ ନଜର ମୋ ଉପରେ ପଡ଼ିଥିଲା ଏବଂ ସେ ମୋତେ ଦେଖା କରିବାକୁ ଚାହୁଁଥିଲେ। ପ୍ରଥମ ସାକ୍ଷାତ୍‌କାର ପରେ ଆମେ ଉଭୟ ଏକ ଡିନର୍‌ରେ ଏକାଠି ହୋଇଥିଲୁ। ଏହି ସମୟରେ ଶ୍ରୀସନ୍ଥ ମୋତେ ଫୋନ ନମ୍ବର ମାଗିଥିଲେ। କିନ୍ତୁ ମୁଁ ମନା କରିଦେଇଥିଲି। ତେବେ ସେ ଏକ ଟିସୁ ପେପର ଉପରେ ନିଜ ନମ୍ବର ଲେଖି କହିଥିଲେ, ଯେତେବେଳେ ମ୍ୟାଚ୍‌ରେ ଭଲ ଖେଳିବି ସେତେବେଳେ ଫୋନ କରି ବଧାଇ ଜଣାଇବାକୁ କହିଥିଲେ’ ବୋଲି ରାଜସ୍ଥାନ ଦିଓ୍ବାନପୁର ରାଜପରିବାରର ରାଜକୁମାରୀ ଭୁବନେଶ୍ୱରୀ କହିଛନ୍ତି। ଏହାପରେ ଶ୍ରୀସନ୍ଥ ଓ ତାଙ୍କ ମଧ୍ୟରେ ଧିରେ ଧିରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା। ଯାହାକି ପରେ ପ୍ରେମରେ ରୂପାନ୍ତରିତ ହୋଇଯାଇଥିଲା। ୨୦୦୯ରେ ଭୁବନେଶ୍ୱରୀଙ୍କୁ ଶ୍ରୀସନ୍ଥ କହିଥିଲେ, ଯଦି ୨୦୧୧ ବିଶ୍ୱକପ୍‌ରେ ଭାରତ ଚାମ୍ପିୟନ ହୁଏ ତେବେ ସେ ବାହାଘର ପ୍ରସ୍ତାବ ନେଇ ତାଙ୍କ ଘରକୁ ଯିବେ। ସତକୁ ସତ ଭାରତ ୨୦୧୧ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଥିଲା ଏବଂ ଶ୍ରୀସନ୍ଥ ମଧ୍ୟ ତାଙ୍କ କଥା ରକ୍ଷା କରି ଭୁବନେଶ୍ୱରୀଙ୍କ ଘରକୁ ଯାଇଥିଲେ। ଶେଷରେ ୨୦୧୩ ଡିସେମ୍ବର ୧୨ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share